ଭଦ୍ରକ: ରଙ୍ଗର ମାହୋଲ ଭିତରେ ଆସିଲା ଦୁଃଖଦ ଖବର । ରୋଷେଇ ଗ୍ୟାସ ଟାଙ୍କି ଫାଟି ଜଣେ ମହିଳା ଗୁରୁତର । ନିଆଁ ଲାଗି ଜଳିଗଲା ୩ ପରିବାରର ୬ ବଖରା ଘର । ଗ୍ୟାସ ଟାଙ୍କି ଫାଟି ଘର ଜଳିଯିବା ସହ ଘର ନିକଟରେ ଥିବା ଦୋକାନରେ ମଧ୍ୟ ନିଆଁ ଲାଗିଯାଇଥିଲା । ସୂଚନା ଅନୁଯାୟୀ,ଭଦ୍ରକ ସହର ନିକଟସ୍ଥ ନରିପୂରର ରମେଶ ଲାଲଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ଏଭଳି ଅଘଟଣ ଘଟିଛି । ଘର ଭିତରେ ୩ ଗ୍ୟାସ ଟାଙ୍କିରୁ ଦୁଇଟି ଗ୍ୟାସ ଟାଙ୍କି ଫାଟି ସାରିଛି । ଜଳି ଯାଇଛି ୫ ବଖରା ଘର, ଜଣେ ମହିଳା ଆହତ ହୋଇଛନ୍ତି ।
ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟି ହଠାତ୍ ନିଆଁ ଲାଗିଯାଇଥିଲା । ଏକାଥରେ ୨ଟି ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ ଆଖି ପିଛୁଳାକେ ଚାରିଆଡେ ବ୍ୟାପି ଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ତିନୋଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସେହିଭଳି ନିଆଁକୁ ଦୃଷ୍ଟିରେ ରଖି ମେଡିକାଲ ଛକ ନିକଟରେ ସୁରକ୍ଷା ପାଇଁ ରାସ୍ତାକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ଘଟଣାରେ ଆହତ ମହିଳା ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
