ସବୁ ପ୍ରତୀକ୍ଷାର ଅନ୍ତ ପରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ରାଜ୍ୟରେ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି । ୩,୦୮୨ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୋଟ ୫,୩୬,୩୦୬ ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୫,୧୫,୨୫୧ ଜଣ ପିଲା ପରୀକ୍ଷାରେ ପାସ କରିଛନ୍ତି । ତେବେ ଏହି ବର୍ଷ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୩୬୪ ରହିଥିଲା । ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ବୋର୍ଡ ସଭାପତି ଶ୍ରୀକାନ୍ତ ତାରାଇଙ୍କ ଉପସ୍ଥିତିରେ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ବୋର୍ଡ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଜିଲ୍ଲା ଭିତ୍ତିରେ ଗଜପତି ଜିଲ୍ଲାରେ ଚଳିତ ବର୍ଷ ୯୯% ପାସ୍ ହାର ସହ ଗଜପତି ଜିଲ୍ଲା ଛାତ୍ରଛାତ୍ରୀ ମାନେ ସର୍ବାଧିକ ସଫଳତା ହାସଲ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ପାସ୍ ହାର ସବୁଠୁ କମ୍ ଅର୍ଥାତ୍ ୯୪.୩୫% ରହିଛି । ଏ (୧)ରେ ୨୪୫୬ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ଏ(୨)ରେ ୧୫,୬୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ବି(୧)ରେ ୪୩,୫୬୫ ପରୀକ୍ଷାର୍ଥୀ, ବି(୨)ରେ ୮୬,୧୦୩ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ସି ରେ ୧,୨୯,୮୦୩ , ଡି ରେ ୧,୪୬,୧୫୨ ଏବଂ ଇ ରେ ୯୫,୪୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେପଟେ ୩୩୧୦ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କଠୁ ଅଧିକ ରହିଛି । ଏଥର ପିଲାମାନେ ଉଭୟ ଇଂରାଜୀ ଓ ଓଡ଼ିଆରେ ଲିଖିତ ସାର୍ଟିଫିକେଟ ପାଇବେ ।

ସନ୍ଧ୍ୟା ୬ଟାରୁ ବୋର୍ଡର ଅଫିସିଆଲ୍ ୱେବସାଇଟ www.bseodisha.ac.in ଏବଂ www.bseodisha.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ସେହି ପରି ମୋବାଇଲ ରେ OR10 space ନିଜର ରୋଲ୍ ନମ୍ବରକୁ ଟାଇପ କରି 5676750କୁ ମେସେଜ କଲେ ରେଜଲ୍ଟ ଆସିବ । ସ୍କୁଲ ପ୍ରଧାନ ଶିକ୍ଷକମାନେ ନିଜର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ରେଜଲ୍ଟ ମଧ୍ୟ ଜାଣି ପାରିବେ । ରେଜଲ୍ଟ ବାହାରିବା ଦିନ ସାର୍ଟିଫିକେଟ ପାଇପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଅନଲାଇନରେ ଏବଂ ହ୍ବାଟ୍ସଆପ ମାଧ୍ୟମରେ ଜାଣିପାରିବେ । ନିଜର ହ୍ବାଟ୍ସଆପରେ 7710058192କୁ ସେଭ୍ କରିବା ପରେ ଉକ୍ତ ନମ୍ବରରୁ BSE ଟାଇପ କରନ୍ତୁ । ପରବର୍ତ୍ତୀ ସମୟରେ ଏହି ପଦ୍ଧତି ଦ୍ୱାରା ସାର୍ଟିଫିକେଟ ପାଇପାରିବେ ।

