ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ଥ ଓ ଅପାରଗଙ୍କୁ ରାଜ୍ୟ ସରକାରଙ୍କ ଛାଟ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ଆଭିମୁଖ୍ୟ ଅନୁଯାୟୀ, ଆଉ ୬ ଜଣ ଅଧିକାରୀଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀଙ୍କ ମଧ୍ୟରେ ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ନିର୍ବାହୀ ଯନ୍ତ୍ରୀ ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ରହିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।
ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିବା ୬ ଜଣଙ୍କ ମଧ୍ୟରୁ ଏହି ୬ ଜଣଙ୍କ ମଧ୍ୟରୁ ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ସୁନିଲ୍ କୁମାର ପଣ୍ଡାଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଅଛି । ତାଙ୍କ ପାଖରେ ୩.୨୬ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା । ଏଥିପାଇଁ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।ଭୁବନେଶ୍ୱରର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ପ୍ରଶାନ୍ତ କୁମାର ମିଶ୍ରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାୟଗଡା ଜିଲ୍ଲାର ଗୁଣୁପୁରସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ୟ୍ୟାମୀ ବେହେରାଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଅଛି । ସେ ୧୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରିଥିଲେ । ତାଙ୍କୁ ୨୦୨୨ ମାର୍ଚ୍ଚ ୨ ତାରିଖ ଦିନ ଗିରଫ କରାଯାଇ ତା ପରଦିନ କୋର୍ଟକୁ ପଠାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।ବ୍ରହ୍ମପୁର ରୁରାଲ ୱାର୍କ୍ସ ଇଲେକ୍ଟ୍ରିକାଲ୍ ଡିଭିଜନର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଜଗନ୍ନାଥ ସେଠୀଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଥିଲା । ତାଙ୍କ ପାଖରେ ୭.୬୩ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା ଏବଂ ଏଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ସେହିପରି ଭୁବନେଶ୍ୱରର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ଦୀପକ କୁମାର ଭୁୟାଁଙ୍କ ନାମରେ ଦୁଇଟି ଦୁର୍ନିତୀ ମାମଲା ରହିଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।ସେହିପରି ଗଜପତି ଜିଲ୍ଲାର ନୂଆଗଡ଼ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ଅଫିସ ଭିତରେ ୩୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରୁଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡ଼ିଥିଲେ । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।