ନୂଆଦିଲ୍ଲୀ: ନବଗଠିତ ଲୋକସଭାର ପ୍ରଥମ ଅଧିବେଶନରେ ହିଁ ଶାସକ ଏନଡିଏ ଓ ବିରୋଧୀ ଇଣ୍ଡିଆ ବ୍ଲକ ମଧ୍ୟରେ ହେବ ପ୍ରଥମ ସୋ ଡାଉନ୍ । ବାଚସ୍ପତି ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି ଏନଡିଏ ଓ ଇଣ୍ଡିଆ ବ୍ଲକ । ଗତ ୩ ଦଶକ ମଧ୍ୟରେ ପ୍ରଥମ ଥର ପାଇଁ ଲୋକସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ଭୋଟିଂ ଜରିଆରେ ନିର୍ବାଚିତ ହେବେ ନବଗଠିତ ଲୋକସଭାର ନୂଆ ବାଚସ୍ପତି । ବିଜେପି ନେତା ଏନଡିଏ ପକ୍ଷରୁ ଓମ ପ୍ରକାଶ ବିର୍ଲାଙ୍କୁ ଏଥର ମଧ୍ୟ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ତାଙ୍କ ସପକ୍ଷରେ ସହମତି ସୃ୍ଷ୍ଟି ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ଏନଡିଏ ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ ଦାବି କରିଥିଲା ଲୋକସଭା ଉପବାଚସ୍ପତି ପଦ । ତେବେ ଏନେଇ ଏନଡିଏ ପକ୍ଷରୁ କୌଣସି ପ୍ରତିଶ୍ରୁତି ନମିଳିବା ପରେ ବାଚସ୍ପତି ପାଇଁ କଂଗ୍ରେସ ସଦସ୍ୟ କେ ସୁରେଶଙ୍କୁ ପ୍ରାର୍ଥୀ କରିଛି ଇଣ୍ଡିଆ ବ୍ଲକ ।
ଓମ୍ ପ୍ରକାଶ ବିର୍ଲାଙ୍କ ସପକ୍ଷରେ ସହମତିି ସୃଷ୍ଟି ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା କରିଥିଲେ । ପ୍ରଥମେ ଇଣ୍ଡିଆ ବ୍ଲକ ସହମତି ପାଇଁ ରାଜି ୍ଥିବା ଜଣାପଡ଼ିଥିଲା । ହେଲେ ପରେ ଉପବାଚସ୍ପତି ପଦ ଦାବି କରିଥିଲା । କିନ୍ତୁ ଏନେଇ ଏନଡିଏ ପକ୍ଷରୁ କୌଣସି ଆଶ୍ୱାସନା ଦିଆଯାଇନଥିଲା । ବୁଧବାର ଦିନ ୧୧ଟାରେ ବାଚସ୍ପତି ନିର୍ବାଚନ ପାଇଁ ଭୋଟିଂ ହେବ । ଓମ୍ ପ୍ରକାଶ ବିର୍ଲା ଓ କେ ସୁରେଶ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
