ଓଡିଶା

ରାଇସୁଆଁ ଏୟାରଷ୍ଟ୍ରିପ୍‌ର ହେବ ଉନ୍ନତିକରଣ, ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା

କେନ୍ଦୁଝରବାସୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଖୁବଶୀଘ୍ର ରାଇସୁଆଁ ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ ଓ ସମ୍ପ୍ରସାରଣ କରାଯିବ। ଏହାକୁ ଆଗାମୀ ଦିନରେ B-2 ଶ୍ରେଣୀରେ ସାମିଲ କରିବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ ଗୋପୀନାଥପୁର ପଞ୍ଚାୟତର ଦୁଇଟି ଗାଁରୁ ମୋଟ ୬୧ ଏକର ୨୩୯ ଡେସିମିଲ ଘରୋଇ ଜମି ଅଧିଗ୍ରହଣ କରାଯିବ। ଏଥିସହ ୨ ଏକର ୪୪୫ ଡେସିମିଲ ସରକାରୀ ଜମି ମଧ୍ୟ ନିଆଯିବାର ଯୋଜନା ରହିଛି।

ସିଲିଶୁଆଁ ଗାଁରୁ ୧ ଏକର ୧୦୧ ଡେସିମିଲ ଜମି ଅଧିଗ୍ରହଣ ପାଇଁ ଆଜି ପ୍ରଥମ ଗ୍ରାମସଭା ଅନୁଷ୍ଠିତ ହୋଇଛି। ଏଥିରେ ୧୧ ଜଣ ଜମି ମାଲିକଙ୍କ ମତାମତ ନିଆଯାଇଥିବା ବେଳେ, ଜମି ମାଲିକମାନେ ଡେସିମିଲ ପିଛା ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ସେହିପରି ଆସନ୍ତାକାଲି ଗୋପୀନାଥପୁର ଗାଁରେ ଦ୍ୱିତୀୟ ଗ୍ରାମସଭା ହେବ। ଏଠାରେ ୬୦ ଏକର ୧୩୮ ଡେସିମିଲ ଜମି ଅଧିଗ୍ରହଣ ସମ୍ପର୍କରେ ୮୪ ଜଣ ଜମି ମାଲିକଙ୍କ ମତାମତ ନିଆଯିବ।

ବର୍ତ୍ତମାନ ପ୍ରାୟ ୫ ଏକର ଜମିରେ ନିର୍ମିତ ରାଇସୁଆଁ ଏୟାରଷ୍ଟ୍ରିପ୍‌ର ସମ୍ପ୍ରସାରଣ ଓ ଉନ୍ନତିକରଣ ହେଲେ କେନ୍ଦୁଝରର ଯୋଗାଯୋଗ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। B-2 ଶ୍ରେଣୀରେ ଏୟାରଷ୍ଟ୍ରିପ୍‌କୁ ସାମିଲ କରିବା ଦିଗରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ପ୍ରଥମ ପଦକ୍ଷେପ ଭାବେ ନିଆଯାଉଛି।

Related posts

ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ସ୍ୟାଣ୍ଡ ଆନିମେସନ ଦ୍ଵାରା Get Well Soonର ବାର୍ତ୍ତା

mahabharatanews

ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ବୋମା ବିସ୍ଫୋରଣ

mahabharatanews