(ମମତା ସାମଲ ): ପବିତ୍ର ଶିଖ ଧର୍ମରେ ଦାଢ଼ି ଓ କେଶକୁ ଗୁରୁତ୍ୱ ଦିଆଯାଇଥାଏ । କାନାଡାରେ ବୃତ୍ତିରେ ଡାକ୍ତର ଥିବା ୨ ଜଣ ଶିଖ ସଂପ୍ରଦାୟର ବ୍ୟକ୍ତି (ଦୁଇଭାଇ) ଏହା ପ୍ରମାଣିତ କରିଛନ୍ତି ଯେ, ସେମାନଙ୍କ ପାଇଁ କର୍ତ୍ତବ୍ୟ ଓ ମାନବିକତା ଠାରୁ ଆଉ ବଡ଼ ଧର୍ମ ନାହିଁ । କାନାଡାରେ ୨ ଶିଖ ଡାକ୍ତର ଭାଇ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିଜର ଦାଢ଼ି କାଟି ଦେଇଛନ୍ତି । ରୋଗୀଙ୍କ ଚିକିତ୍ସା ସମୟରେ ସେମାନଙ୍କୁ ମେଡକାଲ ଗ୍ରେଡର ମାସ୍କ ପିନ୍ଧିବା ଜରୁରୀ ଥିଲା । ଦାଢ଼ି ଉପରେ ଦିନସାର ମାସ୍କ ପିନ୍ଧିବା ଅସୁବିଧା ହେଉଥିଲା । ଏହି କାରଣରୁ ଦୁଇ ଭାଇ ନିଜର ଦାଢ଼ି କାଟି ଏକ ଉଦାହରଣ ପାଟିଛନ୍ତି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡା. ସଂଜୀତ ସିଂହ ସାଲୁଜା ଓ ତାଙ୍କର ନ୍ୟୁରୋସର୍ଜନ ଭାଇ ଡା. ରଂଜୀତ ସିଂହ ମ୍ୟାକିଗଲ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ କେନ୍ଦ୍ର (ଏମୟୁଏଚସି)ରେ କାର୍ୟ୍ୟରତ ଅଛନ୍ତି । ସେମାନେ ନିଜର ଧାର୍ମିକ ପରାମର୍ଶଦାତା, ପରିବାର ଓ ବନ୍ଧୁଙ୍କ ସହ ଆଲୋଚନା ପରେ ନିଜର ଦାଢ଼ି କାଟିବାକୁ ନିଷ୍ପତ୍ତି ନେଇଛନ୍ତି । ଡା. ସଂଜୀତ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଆମେ କାମ ମଧ୍ୟ ଛାଡ଼ିପାରିଥାନ୍ତୁ । କିନ୍ତୁ ଏଭଳି ସମୟରେ ଯେତେବେଳେ ସ୍ୱାସ୍ଥ୍ୟ କର୍ମୀ ରୋଗୀ ହୋଇଯାଉଛନ୍ତି, ଆମେ ବୋଝ ବଢ଼ାଇବାକୁ ଚାହିଁ ନଥିଲୁ । କାମ ନ କରିବା ଡାକ୍ତର ଭାବେ ଆମର ଶପଥ ବିରୋଧୀ । ତେଣୁ ସେବା କରିବା ଆମର ବଡ଼ କାମ । ସେ କହିଛନ୍ତି ଶିଖ ଧର୍ମରେ ସେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆମେ ମାନବିକତାରୁ ସେବା କରିବା ଶିଖିଛୁ । ଆମେ କଠିଣ ସମୟରେ କେଶ ବଦଳରେ ସେବାକୁ ଅଧିକ ଗୁରୁତ୍ୱ ଦେଇଛୁ । ସେ କହିଛନ୍ତି, ଏହି ନିଷ୍ପତ୍ତି ମୋତେ ବହୁତ ଧକ୍କା ଦେଇଥିଲା । କାରଣ ଏହା ମୋର ପରିଚୟର ଅଂଶ ବିଶେଷ ଥିଲା । ମୁଁ ଯେତେବେଳେ ସକାଳୁ ଉଠି ଦର୍ପଣ ଦେଖୁଛି, ମୋତେ ଅଦ୍ଭୁତ ଲାଗୁଛି । କିନ୍ତୁ ମୁଁ ଭଲ କରିଛି ବୋଲି କୁହନ୍ତି ଡାକ୍ତର ସିଂହ ।