ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖବରକାଗଜରେ ସମ୍ପାଦୀୟ ଲେଖି ଚର୍ଚ୍ଚାକୁ ଆସିଛନ୍ତି। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏ ମାଟିର କନ୍ୟା ଶୀର୍ଷକ ଆର୍ଟିକିଲ ଲେଖିବା ପରେ ସାଧାରଣରେ ବହୁ ଆଲୋଚନା ଦେଖିବାକୁ ମିଳିଛି। ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଶପଥ ନେବା ସମୟ ପ୍ରତ୍ୟେକ ଓଡି଼ଆଙ୍କ ପାଇଁ ପରମ ସୌଭାଗ୍ୟ ଥିଲା ବୋଲି ମୁଖ୍ୟମନ୍ତ୍ରୀ ନିଜ ଆର୍ଟିକିଲ ମାଧ୍ୟମରେ କହିଛନ୍ତି। ଜଣେ ଜନଜାତି ବ୍ୟକ୍ତି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହେବା ତାଙ୍କର ବଡ ଅଭିଳାସ ରହିଥିଲା। ସେଥିପାଇଁ ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ଡଃ ପିଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପିଏ ସାଙ୍ଗମା କେବଳ ଆଦିବାସୀ ବର୍ଗର ନଥିଲେ। ସମାଜର ସବୁବର୍ଗର ସମ୍ମାନାସ୍ପଦ ନେତା ଥିଲେ ବୋଲି ନିଜ ଆର୍ଟିକିଲ ମାଧ୍ୟମରେ ମଧ୍ୟ କହିଥିଲେ। ଶ୍ରୀ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ପାର୍ଲ୍ୟାମେଣ୍ଟାରିଆନ ଓ ଲୋକସଭାର ବାଚସ୍ପତି ଭାବେ ସେ ତାଙ୍କର ପ୍ରତିଭାର ପରିଚୟ ସୃଷ୍ଟି କରିଥିଲେ। ତେବେ ରାଷ୍ଟ୍ରପତି ପ୍ରାର୍ଥୀ ଲାଗି ଜନଜାତି ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାଁକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି। ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ଦଳ ମତ ନିର୍ବିଶେଷରେ ସମର୍ଥନ ଜଣାଇବା ଲାଗି ନିବେଦନ କରିଥିଲେ। ଆଜି ସେହି ଓଡ଼ିଆ ଜାତିର ପରିଚୟକୁ ଭାରତବର୍ଷର ରାଜନୈତିକ ଶୀର୍ଷରେ ପହଞ୍ଚାଇ ଜଣେ ଓଡ଼ିଆ ଝିଅ ସର୍ବୋଚ୍ଚ ଆସନରେ ପ୍ରତିଷ୍ଠିତ। ଦେଶର ରାଷ୍ଟ୍ରପତି ପଦବୀ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ି ଦେଇଛନ୍ତି। ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ତା’ର ଏକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ଆମ ରାଜ୍ୟର ମୟୂରଭଞ୍ଜ ପରି ଏକ ସଂସ୍କୃତିସମୃଦ୍ଧ ଜିଲ୍ଲାରେ ଜନ୍ମଗ୍ରହଣ କରି ଦେଶର ପ୍ରଥମ ନାଗରିକ ଭାବେ ଶ୍ରୀମତୀ ମୁର୍ମୁଙ୍କ ପ୍ରତିଷ୍ଠା ସାଢ଼େ ଚାରିକୋଟି ଓଡ଼ିଆଙ୍କ ଲାଗି ନିଶ୍ଚିତ ଏକ ଗର୍ବର ବିଷୟ ବୋଲି କହିଛନ୍ତି।
previous post
