ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଖେଳପଡ଼ିଆ ଠାରେ ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି କୁଆଁର ପୁନେଇଁ ଜହ୍ନୋଲ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଆଜି ବିଭିନ୍ନ ପାରମ୍ପାରିକ ଗ୍ରାମୀଣ ମହିଳା କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ସହରର ବହୁ ବିଦ୍ୟାଳୟରୁ ପ୍ରାୟ ୩୦୦ରୁ ଅଧିକ ଛାତ୍ରୀ ମାନେ ଏଥିରେ ଭାଗ ନେଇଥିଲେ । ଠିଆ ପୁଚି, ବସା ପୁଚି, ଦଉଡ଼ି ଡ଼ିଆଁ, ଖପରା ଡ଼ିଆଁ, ଶଙ୍ଖ ଫୁଙ୍ଖା, ହୁଳହୁଳି, କଉଡ଼ି ଖେଳ ଭଳି ବିଭିନ୍ନ ପାରମ୍ପାରିକ ଖେଳରେ ମଜ୍ଜି ଯାଇଥିଲେ ଛାତ୍ରୀ ମାନେ । ବର୍ତ୍ତମାନ ବିଦ୍ୟାଳୟ ଗୁଡ଼ିକରେ ଏଭଳି ପାରମ୍ପାରିକ କ୍ରୀଡ଼ା ଖେଳାଯାଉନାହିଁ । ଯାହାଫଳରେ ଅନେକ ଛାତ୍ରୀ ମାନେ ଏହି କ୍ରୀଡ଼ା ସମ୍ପର୍କରେ ଅଭିଜ୍ଞତା ମଧ୍ୟ ନଥିଲା । ତଥାପି ମଧ୍ୟ ବିଭିନ୍ନ କ୍ରୀଡ଼ା ସମ୍ପର୍କରେ ସାମାନ୍ୟତମ ଜାଣି ମଧ୍ୟ ଅନେକ ଛାତ୍ରୀ ମାନେ ଉତ୍ସାହିତର ସହିତ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ । କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ସଫଳତା ଲାଭ କରିଥିବା ଯୋଗୁଁ ବେଶ ଖୁସୀ ଥିବା କହିଛନ୍ତି ଛାତ୍ରୀମାନେ । ପୂର୍ବରୁ ଏହି କ୍ରୀଡ଼ା ଗୁଡ଼ିକର ବେଶ ଚାହିଦା ରହିଥିଲା । କିନ୍ତୁ ଧିରେ ଧିରେ ଆଧୁନିକତାର ଛାପ ଦ୍ବାରା ଏହି କ୍ରୀଡ଼ା ଗୁଡ଼ିକ ଲୋପ ପାଇବାକୁ ବସିଲାଣି । ଏଭଳି କ୍ରୀଡ଼ା ପ୍ରତିଯୋଗିତା ହେବା ଦ୍ବାରା କ୍ରୀଡ଼ା ସମ୍ପର୍କରେ ଜ୍ଞାନ ପାଇବା ସହିତ ଶରୀରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇପାରିଛି । ତେଣୁ ଆଗାମୀ ଦିନରେ ମଧ୍ୟ ଏଭଳି ପାରମ୍ପାରିକ କ୍ରୀଡ଼ାକୁ ନେଇ ପ୍ରତିଯୋଗିତା ହେଲେ କେବଳ ଯେ ଛାତ୍ରୀ ମାନେ ଉପକୃତ ହେବେ ତାହା ନୁହେଁ ବରଂ ପାରମ୍ପାରିକ କ୍ରୀଡ଼ାର ଆହୁରି ପ୍ରଚାର ଓ ପ୍ରସାର ମଧ୍ୟ ହୋଇପାରିବ ବୋଲି କହିଛନ୍ତି ଛାତ୍ରୀ ମାନେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅସୀମା ସାହୁ ଯୋଗ ଦେଇଥିଲେ । ବର୍ତ୍ତମାନ ସମୟରେ ଅଧିକାଂଶ ପିଲା ପାଠପଢ଼ାକୁ ଛାଡ଼ିଦେଲେ ମୋବାଇଲରେ ଖେଳି ନିଜର ସମୟକୁ ଅତିବାହିତ କରିଥାଏ । ଯାହାଫଳରେ ସେମାନଙ୍କ ମଧ୍ୟରେ ଶାରୀରିକ କ୍ଷେତ୍ରରେ ସେତେ ମାତ୍ରାରେ ବିକାଶ ହୋଇପାରିନଥାଏ । ତେଣୁ ଏଭଳି ପାରମ୍ପାରିକ ଗ୍ରାମୀଣ ମହିଳା କ୍ରୀଡ଼ା ଯଦି ପ୍ରତ୍ୟେକ ଛାତ୍ରୀ ମାନେ ଖେଳନ୍ତି ତେବେ ଶାରୀରିକ କ୍ଷେତ୍ରରେ ସେମାନେ ସବଳ ହେବା ସହିତ କ୍ରୀଡ଼ା ସମ୍ପର୍କରେ ଅଧିକ ଜାଣିପାରିବେ । ପ୍ରତ୍ୟେକ ବାପା ମା ନିଜର ପିଲା ମାନଙ୍କୁ ଭଲ ପାଠପଢ଼ିବା ସହ ଏଭଳି ପାରମ୍ପାରିକ ଗ୍ରାମୀଣ କ୍ରୀଡ଼ା ପ୍ରତି ଯଦି ଆକର୍ଷିତ କରାନ୍ତି ତେବେ ପିଲାମାନଙ୍କର ଶାରୀରିକ କ୍ଷେତ୍ରରେ ଭଲ ବିକାଶ ମଧ୍ୟ ହୋଇପାରିବ ବୋଲି କହିଛନ୍ତି ଖଲ୍ଲିକୋଟ ବିଶ୍ବବିଦ୍ୟାଳର କୁଳପତି । ପାରମ୍ପାରିକ ଗ୍ରାମୀଣ ମହିଳା କ୍ରୀଡ଼ାର ବିକାଶ ଓ ପ୍ରଚାର ପ୍ରସାର ନିମନ୍ତେ ଦୀର୍ଘ ୧୭ ବର୍ଷ ହେଲା ଏଭଳି କୁଆଁର ପୁନେଇଁ ଜହ୍ନୋଲ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଯେଉଁ ଯେଉଁ ଛାତ୍ରୀ ମାନେ ଆଜିର କ୍ରୀଡ଼ାରେ ସାମିଲ ହୋଇ ସଫଳତା ହାସଲ କରିଛନ୍ତି । ଆସନ୍ତା ୨୫ ତାରିଖରେ ଠିଆ ପୁଚି ନାରଙ୍ଗ ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଆଜିର କ୍ରୀଡ଼ା କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ଗଞ୍ଜାମର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ । ଏଭଳି ପାରମ୍ପାରିକ କ୍ରୀଡ଼ାକୁ ନେଇ ପ୍ରତିଯୋଗିତା ହେବା ଫଳରେ ଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ଏହି କ୍ରୀଡ଼ା ପ୍ରତି ଆକର୍ଷଣ ବୃଦ୍ଧି ପାଉଛି । ଯାହାକି ଆଗାମୀ ପିଢ଼ି ପାଇଁ ଶୁଭ ସଙ୍କେତ ବୋଲି କହିଛନ୍ତି ଆୟୋଜକ । ପାରମ୍ପାରିକ ଗ୍ରାମୀଣ ମହିଳା କ୍ରୀଡ଼ାକୁ ବଞ୍ଚାଇ ରଖିବା ସହିତ ବର୍ତ୍ତମାନର ଆଧୁନିକ ଯୁଗରେ ସମ୍ପୃକ୍ତ କ୍ରୀଡ଼ାକୁ ଆହୁରି ଲୋକଲୋଚନାକୁ ଆଣିବା ନିମନ୍ତେ ଏହି ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
