(ଦିଲ୍ଲୀ) : ଆଜିଠୁ ଅର୍ଥାତ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୧୨ ଟି ରାଜ୍ୟରେ ୯୪ ଟି ସଂସଦୀୟ ଆସନ ପାଇଁ ୭ମେ’ରେ ଭୋଟ ଗ୍ରହଣ କରାଯିବ । ଏହା ସହିତ ମଧ୍ୟପ୍ରଦେଶର ବେତୁଲ ସଂସଦୀୟ ନିର୍ବାଚନମଣ୍ଡଳୀରେ ସ୍ଥଗିତ ରଖାଯାଇଥିବା ଭୋଟିଂର ବିଜ୍ଞପ୍ତି ମଧ୍ୟ ଶୁକ୍ରବାର ପ୍ରକାଶ ପାଇବ ।
ସୂଚନାନୁଯାୟୀ , ଦ୍ୱିତୀୟ ପର୍ଯ୍ୟାୟରେ ବେତୁଲ ଲୋକ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ବହୁଜନ ସମାଜ ପାର୍ଟି (ବିଏସପି) ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୧୯ । ଏହାକୁ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୨ ଏପ୍ରିଲ । ଯେଉଁ ରାଜ୍ୟଗୁଡ଼ିକରେ ତୃତୀୟ ପର୍ଯ୍ୟାୟରେ ଭୋଟିଂ ଅନୁଷ୍ଠିତ ହେବ ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦାଦର-ନଗର ହାଭେଲି, ଦାମନ ଏବଂ ଡିୟୁ, ଗୋଆ, ଗୁଜରାଟ, ଜମ୍ମୁ-କଶ୍ମୀର, କର୍ନାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ ।