ରୁଷର ତୈଳ ବିଶୋଧନାଗାର ଉପରେ ୟୁକ୍ରେନ କରିଛି ଡ୍ରୋନ୍ ଆକ୍ରମଣ । ୧୦୦ରୁ ଅଧିକ ଡ୍ରୋନ୍ ଖସାଇଲା ମସ୍କୋ । ରୁଷ-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେଉଥିବା ବେଳେ ରୁଷର ଏକ ପ୍ରମୁଖ ତୈଳ ବିଶୋଧନାଗାରକୁ ଟାର୍ଗେଟ୍ କରିଛି ୟୁକ୍ରେନ୍ । ରୁଷର ନିଜ୍ନି ନୋଭଗୋରୋଡ୍ ଅଞ୍ଚଳର କସଟୋଭୋ ଜିଲ୍ଲାରେ ଥିବା ଏହି ତୈଳ ବିଶୋଧନାଗାର ଉପରେ ରାତିସାରା ଡ୍ରୋନ୍ ଆକ୍ରମଣ ହୋଇଥିବା ନେଇ ରୁଷ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ୟୁକ୍ରେନର ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ରୁଷର ବାୟୁ ପ୍ରତିରକ୍ଷା ବାହିନୀ ୧୦୦ରୁ ଅଧିକ ଡ୍ରୋନ୍ ଧ୍ୱଂସ କରିଥିବା ଦାବି କରିଛି ମସ୍କୋ ।
ନିଜ୍ନି ନୋଭଗୋରୋଡ୍ ଅଞ୍ଚଳର ରାଜ୍ୟପାଳ ଗ୍ଲେବ୍ ନିକିତିନ୍ କହିଛନ୍ତି ଯେ, ରାତିରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ କସଟୋଭୋ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି । ତେବେ ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ କୌଣସି ଜୀବନହାନି ହୋଇନାହିଁ । ରୁଷ ପକ୍ଷରୁ ଏହାକୁ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ବୋଲି କୁହାଯାଇଥିବା ବେଳେ ୟୁକ୍ରେନ୍ ଗଣମାଧ୍ୟମ ନିଜ ସେନା ରୁଷର ଗୁରୁତ୍ୱପୂର୍ଣ୍ଣ ତୈଳ ବିଶୋଧନାଗାରକୁ ସଫଳତାର ସହ ଟାର୍ଗେଟ୍ କରିଥିବା ଦାବି କରିଛି।
