(ବେଜିଂ): ଚୀନରେ ସୃଷ୍ଟି ହୋଇଥିବା ଭୟଙ୍କର କୋରୋନା ଭାଇରସ ବର୍ତ୍ତମାନ ୧୭ଟି ଦେଶକୁ ବ୍ୟାପିଛି । ଭାରତ, ନେପାଳ, ତିଦ୍ଦତ, କାମ୍ବୋଡିଆ ଏବଂ ଶ୍ରୀଲଙ୍କାରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଗ୍ଲୋବାଲ ଏମର୍ଜେନ୍ସୀ ବା ଅନ୍ତର୍ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛି । ଅନ୍ୟ ପକ୍ଷରେ ଚୀନରେ ଏହି ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ଆଜି ୨୧୩ରେ ପହଞ୍ଚିଛି । ଏହା ସହିତ ବିଶ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି । ସାରା ବିଶ୍ୱରେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଚୀନ ସମେତ ବିଶ୍ୱର ୧୭ଟି ଦେଶକୁ ଏହି ଭୟଙ୍କର ଭୂତାଣୁ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି ।
ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡରୋସ ଅଧନମ ଘେବ୍ରେୟସୁ କହିଛନ୍ତି, ଚୀନରେ କୋରୋନା ଭାଇରସ ବ୍ୟାପୁଥିବାରୁ ନୁହେଁ ବରଂ ଏହା ଅନ୍ୟ ରାଷ୍ଟ୍ରଗୁଡିକ ପାଇଁ ଚିନ୍ତାର କାରଣ ପାଲଟି ଥିବାରୁ ଗ୍ଲୋବାଲ ହେଲଥ ଏମର୍ଜେନ୍ସି ଘୋଷଣା କରାଯାଇଛି । ସବୁ ରାଷ୍ଟ୍ର ଏକାଠି ହୋଇ ଏହାର ମୁକାବିଲା କରିବାକୁ ପଡିବ ଓ ଏହା ଯେପରି ନ ବ୍ୟାପିବ ତାହାକୁ ମଧ୍ୟ ନିଶ୍ଚିତ କରିବାକୁ ହେବ । ସେ ଆହୁରି କହିଛନ୍ତି ଯେ, ଚୀନ ସହ ଲାଗିଥିବା ସୀମାକୁ ସିଲ୍ କରାଯିବ । ଉହାନ ସହରରେ ଏହି ଭାଇରସ ପ୍ରଥମେ ଚିହ୍ନଟ ହୋଇଥିଲା । ତେଣୁ ଚୀନକୁ ଅନ୍ୟ ଦେଶର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ।
ସୂଚନାଯୋଗ୍ୟ, କୌଣସି ରୋଗ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପିବାର ଆଶଙ୍କା ସୃଷ୍ଟି ହେଲେ ଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗ୍ଲୋବାଲ ଏମରଜେନ୍ସି ଘୋଷଣା କରିଥାଏ । କୋରୋନା ଭାଇରସ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ଏହି ଭୂତାଣୂ ଅନ୍ୟ ଦେଶଗୁଡିକୁ ବ୍ୟାପୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀ ବୈଠକ ଡକାଯାଇଥିଲା । ଏହି ବୈଠକରେ କୋରୋନା ପାଇଁ ଅନ୍ତର୍ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏକାଠି ହୋଇ ଏହାର ମୁକାବିଲା କରିବେ । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଣ୍ଠି ଯୋଗାଇ ଦେବ ।
ସେପଟେ ଚୀନର ଉହାନ ସହରରେ ଫଶିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ହୋଇଛି । ଶୁକ୍ରବାର ସରକାର ୨ଟି ସ୍ୱତନ୍ତ୍ର ବିମାନ ପଠାଇଛନ୍ତି । ସେଠାରୁ ଭାରତୀୟମାନଙ୍କୁ ଯାଞ୍ଚ କରାଯାଇ ବିମାନରେ ଅଣାଯିବା ପରେ ଏଠାରେ ଆଇସୋଲେସନରେ ରଖି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ କରାଯିବ ।
previous post
next post