(ଉନ୍ନାଓ /ମହାଭାରତ): ଦୀର୍ଘ ୪୪ ଘଣ୍ଟା ଜୀବନ ସହ ସଂଘର୍ଷ କରିବା ପରେ ଉନ୍ନାଓ ଦୁଷ୍କର୍ମ ପୀଡିତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଥମେ ହାଇଦ୍ରାବାଦର ପ୍ରାଣୀ ଚିକିତ୍ସିକା ଏବଂ ଏବେ ଉନ୍ନାଓ ପୀଡିତାଙ୍କୁ ପୋଡି ମାରିଦେବା ପରେ ସମଗ୍ର ଦେଶରେ ଲୋକମାନେ ଆକ୍ରୋଶ ପ୍ରକାଶ କରିଛନ୍ତି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର ହେବ ବୋଲି ସେ କହିଛନ୍ତି । ପୀଡିତା ଶୁକ୍ରବାର ରାତି ୧୧ଟା ୪୦ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଥିବା ବେଳେ ଶେଷ ସମୟରେ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଗୁହାରି କରିଥିଲେ ।
ଉଲ୍ଲେଖଯୋଗ୍ୟ, ଗୁରୁବାର ଭୋର ସମୟରେ ପୀଡିତାଙ୍କୁ ଜାମିନରେ ଆସିଥିବା ଦୁଷ୍କର୍ମକାରୀମାନେ ଜୀବନ୍ତ ଜାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପୀଡିତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିଲା । ଗୁରୁବାର ରାତିରେ ପୀଡିତାଙ୍କୁ ଲକ୍ଷେ୍ନøରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଶେଷଥର ପାଇଁ ସେ ତାଙ୍କ ଭାଇକୁ କହିଥିଲେ ଯେ, ସେ ମରିବାକୁ ଚାହୁଁନାହାନ୍ତି । କିନ୍ତୁ ଯେଉଁମାନେ ଏଭଳି ଅବସ୍ଥା କରିଛନ୍ତି ସେମାନଙ୍କୁ ଛାଡିବ ନାହିଁ ।