ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଅଙ୍କିତଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ଓ ହୁସେନଙ୍କ ଘର ନିକଟରେ ହୋଇଥିବାରୁ ଏବେ ହୁସେନ ବିବାଦରେ ଫସିଯାଇଛନ୍ତି ।
ଏକ ଭିଡିଓ ଫୁଟେଜରୁ ହୁସେନଙ୍କ ଘର ଉପରୁ ବୋମା, ପଥର ଫିଙ୍ଗାଯାଉଥିବା ଦେଖିବାକୁ ମିଳିଛି । ତେଣୁ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ପଛରେ ହୁସେନଙ୍କ ହାତଥିବା ଓ ତାଙ୍କ ଘର ଛାତ ଉପରେ ହିଂସାକାରୀ ରହିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଅପରପକ୍ଷରେ ଏହି ଘଟଣାରେ ହୁସେନ ନିଜକୁ ନିର୍ଦ୍ଦୋଶ କହିଛନ୍ତି । ହିଂସା ବେଳେ ନିଜେ ଘରେ ନ ଥିଲେ । ହିଂସା ପୂର୍ବରୁ ପୁଲିସ ତାଙ୍କୁ ଘରୁ ବାହାର କରି ଦେଇଥିଲା । ତାହିର ହୁସେନଙ୍କ ସମର୍ଥନରେ ଏବେ ଆମ୍ ଆଦମୀ ପାର୍ଟି ବାହାରିଛ । ଦିଲ୍ଲୀ ପୁଲିସ ଉପରେ ଅଭିଯୋଗ ଆଣି ଆପ୍ କହିଛି, ପୁଲିସ ତାହିରଙ୍କ ଘରେ ୮ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା । ଏହି ମାମଲାରେ ନିରପେକ୍ଷ ତଦନ୍ତ ହେବା ଦରକାର । ହୁସେନଙ୍କ ଘରେ ହିଂସାକାରୀ ପ୍ରବେଶ କରିବା ପରେ ପୁଲିସଙ୍କୁ ଅବଗତ କରାଯାଇଥିଲା । ସୂଚନାଯୋଗ୍ୟ, ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ତାହିର ହୁସେନଙ୍କ ଘର ପାଖରେ ହୋଇଥିଲା । ଅଙ୍କିତଙ୍କ ହତ୍ୟା ପଛରେ ତାହିର ହୁସେନଙ୍କର ଭୂମିକା ରହିଛି ବୋଲି ଅଙ୍କିତଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।