ନୂଆଦିଲ୍ଲୀ: ଆଜି କଂଗ୍ରେସର ୧୩୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତ୍ରିରଙ୍ଗା ଉତ୍ତୋଳନ ପୂର୍ବକ ସିଏଏ ବିରୋଧରେ ଦେଶବାସୀଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଜଣାଇଥିଲେ । କଂଗ୍ରେସର ବହୁ ବରିଷ୍ଠ ନେତା ଏହି ଅବସରରେ ଉପସ୍ତିତ ଥିବା ଦେଖିବାକୁ ମିଳିଥିଲା ।
ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ କଂଗ୍ରେସ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ରାଜ୍ୟର ରାଜଧାନୀରେ ସମ୍ବିଧାନ ବଞ୍ଚାଅ ଓ ଭାରତ ବଞ୍ଚାଅ ଶୋଭାଯାତ୍ରାର ଆୟୋଜନ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦିଲ୍ଲୀରେ, ରାହୁଲ ଗାନ୍ଧୀ ଆସାମରେ ଓ ଦଳୀୟ ମହାଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି । ଦିଲ୍ଲୀରେ ଭାରତ ବଞ୍ଚାଅ କାର୍ଯ୍ୟକ୍ରମର ସଫଳତା ପରେ ସବୁ ରାଜ୍ୟରେ ଏହାର ଆୟୋଜନ ପାଇଁ ଦଳ ନିଷ୍ପତ୍ତି ନେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଜନବିରୋଧୀ ନୀତିଗୁଡିକୁ ଏହି କାର୍ଯ୍ୟକ୍ରମରେ ବିରୋଧ କରାଯିବ । ଆଜି କଂଗ୍ରେସର ୧୩୫ ତମ ପ୍ରତିଷ୍ଠା ଦିବସ । ଏ ଏଆଇସିସି କାର୍ଯ୍ୟାଳୟରେ ଧ୍ୱଜାରୋହଣ ସମାରୋହରେ ଅଂଶଗ୍ରହଣ କରିବେ ବୋଲି ରାହୁଲ ଟୁଇଟ କରି ଜଣାଇଥିଲେ । ଏହା ପରେ ଆସାମର ଗୁଆହାଟୀରେ ଏକ ରାଲିରେ ସମ୍ବୋଧିତ କରିବେ । ପ୍ରତିଷ୍ଠା ଦିବସରେ ଦଳ ଲକ୍ଷ ଲକ୍ଷ କଂଗ୍ରେସ କର୍ମକର୍ତ୍ତାଙ୍କ ନିସ୍ୱାର୍ଥପର ଯୋଗଦାନକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ରାହୁଲ ।
ରାହୁଲ ଆହୁରି କହିଛନ୍ତି, ଏନପିଆର ଏବଂ ଏନଆରସି ଯୋଗୁ ଦେଶର ଗରିବ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ । କେବଳ ପ୍ରଧାନମନ୍ତ୍ରୀଙ୍କର ୧୫ ଜଣ ଧନୀ ବନ୍ଧୁ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବେ ନାହିଁ । ବରଂ ସେମାନେ ଆର୍ଥିକ ଭାବେ ବହୁତ ଲାଭବାନ ହେବେ । କେନ୍ଦ୍ର ସରକାରଙ୍କ ଏସବୁ ଡ୍ରାମା ହେଉଛି ବିମୁଦାକରଣ-୨ । କେବଳ ଦେଶର ଗରିବମାନେ ଏହା ଦ୍ୱାରା ସମସ୍ୟା ଭୋଗିବେ । ବିମୁଦ୍ରାକରଣ କଥା ଭୁଲିଯାଆନ୍ତୁ । ବିମୁଦ୍ରାକରଣଠାରୁ ଏନପିଆର ଓ ଏନଆରସିର ପ୍ରଭାବ ଗରିବଙ୍କ ଉପରେ ୨ଗୁଣ ଅଧିକ ଭାରି ପଡିବ । ଗରିବମାନେଙ୍କୁ କେବଳ ଲମ୍ବା ଧାଡିରେ ଛିଡା କରାଇ ସେମାନେ ଭାରତୀୟ କି ନୁହେଁ ତାହାର ପ୍ରମାଣ ଦେବାକୁ ସରକାର ଏଭଳି ଡ୍ରାମା ଚଳାଇଛନ୍ତି ।