(ନୂଆଦିଲ୍ଲୀ): ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନ ପାଇଁ ମତଦାନ ଶନିବାର ଆରମ୍ଭ ହୋଇଛି । ନିର୍ବାଚନ ବେଳେ ସବୁଠାରୁ ବଡ ପ୍ରସଙ୍ଗ ହୋଇଥିବା ଶାହିନବାଗରେ ମତଦାନ ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଦିଲ୍ଲୀର ବିଭିନ୍ନ ପ୍ରାନ୍ତ ପରି ଶାହୀନବାଗର ଲୋକମାନେ ଧାଡିରେ ଠିଆ ହୋଇ ଆସନ୍ତା ୫ ବର୍ଷ ପାଇଁ କିଏ ଶାସନର ଡୋରି ଧରିବ ତାର ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୫୦ରୁ ଉଦ୍ଧ୍ୱର୍ ଦିନ ଧରି ଶାହୀନବାଗରେ ସିଏଏ ବିରୋଧୀ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ବିଜେପି, କଂଗ୍ରେସ ଓ କ୍ଷମତାସୀନ ଆପ୍ ମଧ୍ୟରେ ସର୍ବଦା ବାକ୍ ଯୁଦ୍ଧ ଜାରି ରହିଥିଲା । ଶାହିନବାଗ ଅନ୍ତର୍ଗତ ଓଖଲା ନିର୍ବାଚନ ମଣ୍ଡଳିର ଅଧିକାଂଶ ଲୋକ ସଂଖ୍ୟାଲଘୁ ସମ୍ପ୍ରଦାୟର । ଏହି ଅଞ୍ଚଳରେ ଗତଥର ଆପର ବିଧାୟକ ପ୍ରାର୍ଥୀ ଅମନତୁଲ୍ଲା ଖାନ ବିଜୟୀ ହୋଇଥିଲେ । ଚଳିତ ଥର ପୁଣି ଥରେ ସେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି । ତେବେ ଶନିବାର ଭୋଟ ଦାନ ବେଳେ ଶାହୀନବାଗର ୫ଟି ବୁଥକୁ ନିର୍ବାଚନ କମିଶନର ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରିଛନ୍ତି । ସେହିପରି ଅନ୍ୟ ୪୦ଟି ବୁଥକୁ ମଧ୍ୟ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ମତଦାନ ବେଳେ ଦିଲ୍ଲୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବୁଥ ବାହାରେ ଅତିରିକ୍ତ ପିସିଆର ଭ୍ୟାନ ଓ ସିସିଟିଭିର ବ୍ୟବସ୍ଥା କରାଯାଇଥିଲା ।
previous post