ଓଡିଶା

ଟୋପାଏ ପାଣି ପାଇଁ ଡ଼ହଳବିକଳ ବହଳପୁରବାସୀ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗର ଦାୟିତ୍ୱହୀନତା ସର୍ବୋପରି କର୍ତ୍ତବ୍ୟରେ ଚରମ ଅବହେଳା ଯୋଗୁ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ବୁହାଳପୁର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ୧ବର୍ଷ ହେଲା ଅଚଳ ହୋଇ ପଡ଼ିଥିବାର ସାଧାରଣରେ ଅଭିଯୋଗ ହୋଇଛି । ଏହାର ମରାମତି ଓ କାର୍ଯ୍ୟକ୍ଷମ ନିମନ୍ତେ ପ୍ରଶାସନ ତରଫରୁ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ବୁହାଳପୁର ଠାରେ ଏକ ପାନୀୟଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଥିଲା । ଏଥି ନିମନ୍ତେ ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇଥିଲା । ଏହି ପ୍ରକଳ୍ପକୁ ଗତ ୨୦୦୮ ମସିହା ଜୁଲାଇ ୭ ତାରିଖ ଦିନ କିଶନନଗରର ତତକାଳୀନ ବିଧାୟକ ପ୍ରତାପ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଠିକାଦାର ଅଟକଳ ଅନୁଯାୟୀ ଏହି ପାନୀୟଜଳ ପ୍ରକଳ୍ପ ନିର୍ମାଣ କରିନଥିବା ଯୋଗୁ ଉଦଘାଟନର ମାତ୍ର ଅଳ୍ପଦିନ ପରେ ଏହି ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲା । ଏପରିକି ଏହି ଗ୍ରାମରେ ବିଛାଯାଇଥିବା ପାଇପ ଲାଇନଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ହେତୁ ନିର୍ମାଣର ମାତ୍ର ଅଳ୍ପଦିନ ପରେ ପାଇପ ଗୁଡ଼ିକ ବିଭିନ୍ନ ସ୍ଥାନରେ ଭାଙ୍ଗିରୁଜି ଯାଇଛି ।

ସେହିପରି ଭାବେ ଏହି ପାନୀୟ ଜଳ ପ୍ରକଳ୍ପରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ଓ ପାଇପ ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଏପରିକି ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିବା ଷ୍ଟାଣ୍ଡ ଗୁଡିକ ମଧ୍ୟ ନିମ୍ନମାନର କାର୍ଯ୍ୟହେତୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ସେହିପରି ଭାବେ ଏହି ପାନୀୟଜଳ ପ୍ରକଳ୍ପ ନିମନ୍ତେ ପୁର୍ନବାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏକ ପାଣି ଟାଙ୍କି ସ୍ଥାପନ କରାଯାଇଥିଲା । ପାନୀୟଜଳ ପ୍ରକଳ୍ପକୁ ସଚଳ କରାଯିବା ନିମନ୍ତେ ୫ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟ ବରାଦରେ ସୋଲାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ଏହି ପାନୀୟଜଳ ପ୍ରକଳ୍ପ ଦ୍ୱାରା ବୁହାଳପୁର ଗ୍ରାମବାସୀ ଉପକୃତ ହେବା କଥା । କିନ୍ତୁ ପାନୀୟଜଳ ପ୍ରକଳ୍ପ ନିର୍ମାଣ ନାମରେ ବିଭାଗୀୟ ଯନ୍ତ୍ରୀ-ଠିକାଦାର ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ । ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ଭାଗ୍ୟର ପରିବର୍ତ୍ତନ ହୋଇଥିଲା ବେଳେ ଏହି ପାନୀୟ ଜଳ ପ୍ରକଳ୍ପର ଭାଗ୍ୟ ପରିବର୍ତ୍ତନ ହେଉନାହିଁ । ଦୀର୍ଘ ୧ ବର୍ଷ ହେଲା ଏହି ପ୍ରକଳ୍ପ ଅଚଳ ହୋଇ ପଡିଥିଲେ ମଧ୍ୟ ଏହାର ମରାମତି ପାଇଁ କୌଣସି ବିଭାଗୀୟ ତତ୍ପରତା ପ୍ରକାଶ ପାଇ ନାହିଁ । ଟୋପାଏ ପାନୀୟଜଳ ପାଇବା ନିମନ୍ତେ ସ୍ଥାନୀୟ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ପାନୀୟଜଳ ପ୍ରକଳ୍ପ ନିକଟରେ ଦୁଇ ଦୁଇଟି ବିଦ୍ୟାଳୟ ଓ ଗୋଟିଏ ଅଙ୍ଗନୱାଡ଼ି କେନ୍ଦ୍ର ଥିଲା ବେଳେ ଖରାଦିନେ କୋମଳମତୀ ଶିଶୁ ସର୍ବୋପରି ସାଧାରଣ ଲୋକେ ଟୋପାଏ ପାନୀୟ ଜଳ ପାଇବା ନିମନ୍ତେ ଡ଼ହଳ ବିକଳ ହେଉଥିବାର ଅଭିଯୋଗ ହୋଇଛି । ଅପରପକ୍ଷରେ ଏହି ଗ୍ରାମଟି ଚିତ୍ରୋତ୍ପଳା ନଦୀ କୂଳରେ ଥିଲା ବେଳେ ଗ୍ରୀଷ୍ମ ଓ ବର୍ଷା ଋତୁରେ ଲୋକେ ପାନୀୟଜଳ ପାଇବା ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷରେ ରକ୍ଷଣାବେକ୍ଷଣା ଅଭାବରୁ ଏହି ପାନୀୟଜଳ ପ୍ରକଳ୍ପଟି ଅଚଳର ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଏହି ପାନୀୟଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରାଯାଇଛି । ଏହି ପାନୀୟଜଳ ପ୍ରକଳ୍ପ କୁ ସଚଳ କରାଯିବା ନିମନ୍ତେ ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଗାଁ ସରପଞ୍ଚଙ୍କ ନିକଟରେ ଏକାଧିକବାର ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାର ଅଭିଯୋଗ ହୋଇଛି । ଆଉ ଅଳ୍ପ ଦିନ ପରେ ଗ୍ରୀଷ୍ମ ଋତୁ ଆସିଯିବ । ଏହି ଗ୍ରାମରେ ଉତ୍କଟ ଜଳାଭାବ ଦେଖାଦେବ । ପ୍ରଶାସନ ତରଫରୁ ତୁରନ୍ତ ଏହି ଅଚଳ ପାନୀୟଜଳ ପ୍ରକଳ୍ପକୁ ସଚଳ କରାଯିବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ନଚେତ୍ ଏହାର ପ୍ରତିବାଦରେ ଆଗାମୀ ଦିନରେ ପୁଞ୍ଜିଭୂତ ଅସନ୍ତୋଷ ଗଣ ଆନ୍ଦୋଳନର ରୂପନେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Related posts

ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ, ଆସନ୍ତାକାଲିଠୁ ପ୍ରବଳ ବର୍ଷା  

mahabharatanews

ପାଟଣାବ୍ଲକ ଚେମଣା ପଞ୍ଚାୟତ ରେ ଆଉ ୨ କରୋନା ଚିହ୍ନଟ

mahabharatanews

ଟ୍ରାକ୍ଟର ଚକା ତଳେ ଚାପି ହୋଇ ନାବାଳକ ମୃତ

mahabharatanews

Leave a Comment