ମହାଭାରତ, ନିଶ୍ଚିନ୍ତକୋଇଲି: ଆଜି ଅପରାହ୍ନରେ ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମ ପଞ୍ଚାୟତ କଳାଗ୍ନୀ ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁଁ ଜଣେ ଯୁବକ ମୃତ୍ୟୁବରଣ କରିଥିଲା ବେଳେ ଦୁଇ ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଯଶୋବନ୍ତ ଦାସ ଏକ ପଲସର ବାଇକ ଯୋଗେ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲେ । ଏହି ସମୟରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ତୋଟାପଡ଼ା ଗ୍ରାମର ଦୁଇ ଭାଇ ଭୀମସେନ ସାହୁ ଓ ଉପେନ୍ଦ୍ର ସାହୁ କଟକରୁ ଚାନ୍ଦବାଲି ଅଭିମୁଖେ ଏକ ପ୍ୟାସନ ପ୍ଲସ ଗାଡ଼ିରେ ଯାଉଥିଲେ । ଏହି ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଯଶୋବନ୍ତଙ୍କର ମୃତ୍ୟୁ ହୋଇଥିଲା । ଦୁଇ ଭାଇ ଭୀମସେନ ଓ ଉପେନ୍ଦ୍ର ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଦୁଇ ଭାଇଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଦୁଇ ଭାଇଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ସାଲେପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ୨ଟିକୁ ଜବତ କରିବା ସହ ମୃତ ଯଶୋବନ୍ତଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ଡ଼ାକ୍ତରଖାନାକୁ ପଠାଇଛନ୍ତିି । ତେବେ କଟକ-ଚାନ୍ଦବାଲି ରାସ୍ତାରେ ବେପରୁଆ ଓ ଦ୍ରୁତ ଗତିରେ ଗାଡ଼ିଚାଳନା ହେତୁ ଦୈନନ୍ଦିନ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଥିବାରୁ ସାଧାରଣ ଲୋକେ ନିଜର ଧନଜୀବନ ପ୍ରତି ନିରାପଦ ମଣୁନାହାଁନ୍ତି ।
previous post