(ମହାଭାରତ, ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ କମର୍ଦ୍ଦା ଠାରେ ନିଜ କଲେଜକୁ ପରୀକ୍ଷା ସେଣ୍ଟର ମାନ୍ୟତା ଦେବା ଦାବି କରି ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି । ସୁରେନ୍ଦ୍ର ନାଥ ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସେହି କଲେଜରେ ଦୀର୍ଘ ୩୫ ବର୍ଷ ଧରି ପରୀକ୍ଷା ଦେଇ ଆସୁଥିଲେ । କିନ୍ତୁ ଚଳିତବର୍ଷ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ କଲେଜର +୨ ପରୀକ୍ଷା ୧୪ କିମି ଦୂରରେ ଥିବା ଜଳେଶ୍ୱର ଦୀନକୃଷ୍ଣ ମହାବିଦ୍ୟାଳୟରେ ହେବାକୁ ଧାର୍ଯ୍ୟ କରାଯାଇଛି । ଯାହାକୁ ନେଇ ଏବେ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ଫଳରେ ଛାତ୍ରଛାତ୍ରୀମାନେ ନିଜ କଲେଜ ଅର୍ଥାତ ସୁରେନ୍ଦ୍ର ନାଥ ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନକୁ ପରୀକ୍ଷା କେନ୍ଦ୍ର ଘୋଷଣା କରିବାକୁ ଦାବି କରିଛନ୍ତି । ଉକ୍ତ କଲେଜରେ ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ସମସ୍ତ ସୁବିଧା ଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଉପେକ୍ଷା କରାଯାଇଛି । ତୁରନ୍ତ ଦୀନକୃଷ୍ଣ କଲେଜର ପରୀକ୍ଷା ସେଣ୍ଟର ବାତିଲ କରି ନିଜ କଲେଜରେ ପରୀକ୍ଷା ଦାବି କରି ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଥିଲେ । ଏହି ଘଟଣାରେ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମାରୀ ଓ କମର୍ଦ୍ଦା ଥାନାଧିକାରୀ ପାସ୍କେଲ ଇକ୍କା ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଅନ୍ୟପଟେ ଭୋଗରାଇ ବିଧାୟକ ଅନନ୍ତ ଦାସ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ତେବେ ପରୀକ୍ଷାକୁ ୧୩ ଦିନ ବାକି ରହିଥିବା ବେଳେ ପରୀକ୍ଷା କେନ୍ଦ୍ର ବଦଳି ସହ ଛାତ୍ରଛାତ୍ରୀଙ୍କ ଦାବି କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।
previous post
next post