(କୋଲକାତା): ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ରାଜ୍ୟପାଳ ଜଗଦୀପ ଧାନକର ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ରାଜ୍ୟପାଳ ଏଠାକୁ ଆସିଥିବା ବେଳେ ତାଙ୍କ କାର ଅଟକାଇ ଛାତ୍ରଛାତ୍ରୀମାନେ କଳା ପତାକା ଦେଖାଇଥିଲେ । ଏପରିକି ସେମାନେ ଦୀର୍ଘ ସମୟ ଧରି ନାରାବାଜି କରି କାରକୁ ଘେରି ରହିବାରୁ ରାଜ୍ୟପାଳ ବିଶ୍ୱବିଦ୍ୟାଳୟ ଭିତରକୁ ଯାଇ ପାରିନଥିଲେ । ପରେ ସେଠାରେ ପୋଲିସ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବଳପୂର୍ବକ ହଟାଇ ଦେଇଥିଲା । ସିଏଏ ବିରୋଧରେ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଥିଲେ ହେଁ ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବରେ ରାଜ୍ୟପାଳ ଏହି ଆଇନ ସପକ୍ଷରେ ମତ ଦେଇଥିଲେ । ସେ ଏଥିରେ ଯୋଗ ଦେଇଥିଲେ ହେଁ ତାଙ୍କୁ କାର୍ଯ୍ୟକ୍ରମ ଅବସରରେ ବକ୍ତବ୍ୟ ଦେବା ବା ପୁରସ୍କାର ପ୍ରଦାନ କରିବାର ସୁଯୋଗ ମିଳି ନଥିଲା । ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ବେଳେ ଛାତ୍ରଛାତ୍ରୀମାନେ ତାଙ୍କୁ କଳା ପତାକା ଦେଖାଇ ବିରୋଧ କରିଥିଲେ ।
previous post