(ପାଟନା): ବିହାରରେ ଲାଞ୍ଚ କାରବାରକୁ ରୋକିବା ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ଲାଞ୍ଚଖୋରଙ୍କୁ ଧରାଇଦେବାକୁ ସରକାର ପୁରସ୍କାର ଘୋଷଣା କରିଛନ୍ତି । କୌଣସି ବ୍ୟକ୍ତି ଲାଞ୍ଚ ନେଉଥିବା ଜାଣିବାକୁ ପାଇ ଖବର ଦେଲେ ତାଙ୍କୁ ୧ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଟଙ୍କା ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଛନ୍ତି । ଗୁରୁବାର ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ତେବେ ଘୋଷଣା ଅନୁଯାୟୀ, କୌଣସି ବ୍ୟକ୍ତି ରାଜ୍ୟରେ ଲାଞ୍ଚ କାରବାର ହେଉଥିବା ଘଟଣାର ସୂଚନା ଦେଲେ ତାଙ୍କୁ ପୁରସ୍କାର ବାବଦ ଏହି ଟଙ୍କା ଯୋଗାଇ ଦିଆଯିବ । ତେବେ କୋର୍ଟକୁ ଯିବା ଆସିବା ଏବଂ ଅଭିଯୋଗକାରୀଙ୍କ ଖାଇବା ପିଇବା ଖର୍ଚ୍ଚ ସବୁ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଏକ ପାଣ୍ଠି ଗଠନ କରିବେ ବୋଲି ଜଣାପଡିଛି । ରାଜ୍ୟର ସରକାରୀ କର୍ମଚାରୀମାନେ ଲାଞ୍ଚକୁ ପ୍ରଶ୍ରୟ ଦେଉଥିବା ବାରମ୍ବାର ଅଭିଯୋଗ ହେଉଛି । ଫଳରେ ସାଧାରଣ ଜନତାଙ୍କ ଜରୁରୀ କାମ ଅଟକି ରହିଯାଉଛି । ଲାଞ୍ଚ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବା ପାଇଁ ସରକାର ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା ।
previous post
next post