(ମହାଭାରତ, ଉମରକୋଟ): ନବରଙ୍ଗପୁର ଜିଲ୍ଲା ଧୋଡ୍ରା ସ୍ଥିତ ଉଚ୍ଚ ବିଦ୍ୟାଳୟ ସାମ୍ନା ରାସ୍ତା କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କର ପରିଚୟ ଏଯାଏ ମିଳିପାରି ନାହିଁ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ଯୁବକଙ୍କ ମୃତଦେହ ଉମରକୋଟ-ଧଡ୍ରା ରାଜପଥ ନିକଟରେ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପରେ ଖବରପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତକଙ୍କ ବୟସ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଚକାପାରିଥିବା ଅବସ୍ଥାରେ ଯୁବକଙ୍କ ମୃତଦେହଟି ପଡିଥିବାରୁ ସ୍ଥାନୀୟ ଲୋକେ ଏହାକୁ ଦେଖି ପ୍ରଥମେ ଡରି ଯାଇଥିଲେ । ମୃତଦେହ ପାଖରେ ଥିବା ବାଇକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖାଯାଇଛି । ପାରିପାଶ୍ୱିର୍କ ଅବସ୍ଥାରୁ ଉକ୍ତ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ଉମରକୋଟ ଥାନାଧିକାରୀ କହିଛନ୍ତି ।
previous post
next post