(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଦିଲ୍ଲୀର ଶାହୀନବାଗରେ ଆନ୍ଦୋଳନକାରୀମାନେ ଦୀର୍ଘ ୭୦ ଦିନ ଧରି ପ୍ରଦର୍ଶନ କରିଆସୁଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ଯାତାୟତ କରିବା ରାସ୍ତା ବନ୍ଦ ହୋଇଯାଇଛି । ରାସ୍ତା ଖୋଲିବାକୁ ସୁପ୍ରିମକୋର୍ଟରୁ ମଧ୍ୟସ୍ଥି ଆସି ଆଲୋଚନା କରିଥିବା ବେଳେ କୌଣସି ସୁଫଳ ମିଳିପାରିନାହିଁ । ରାସ୍ତା ବନ୍ଦ ହେବା ଫଳରେ ସ୍ଥାନୀୟ ଅଞ୍ଚଳବାସୀମାନେ ଯାତାୟତ ବେଳେ ନାନା ଅସୁବିଧାର ସାମ୍ନା କରୁଥିବାରୁ ରବିବାର ଏନେଇ ଆନ୍ଦୋଳନ କରିଛନ୍ତି । ସରିତା ବିହାର ଏବଂ ଯଶୋଲା ଅଞ୍ଚଳର ବାସିନ୍ଦାମାନେ ଏଠାରେ ଶାହୀନବାଗ ଆନ୍ଦୋଳନକାରୀଙ୍କ ଯୋଗୁଁ ରାସ୍ତା ବନ୍ଦ ରହିଥିବାରୁ ଏହାକୁ ନେଇ ଧାରଣାରେ ବସିଛନ୍ତି । ତେବେ ଏମାନେ ଶାହୀନବାଗ ଆନ୍ଦୋଳନକାରୀଙ୍କ ଦାବିକୁ ବିରୋଧ କରୁ ନଥିବା କହିଛନ୍ତି । ସେମାନଙ୍କ ପାଇଁ ରାସ୍ତା ବନ୍ଦ ହୋଇ ରହିଥିବାରୁ ଏହି ଧାରଣା ଦେଇଛନ୍ତି । ରାସ୍ତା ଅବରୋଧ ହେଉଥିବାରୁ ସ୍କୁଲ ପିଲା ଓ ଅଫିସ ଯିବା ବେଳେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଧାନମନ୍ତ୍ରୀଙ୍କ ଘର ସାମ୍ନା ବା ଜନ୍ତରମନ୍ତରକୁ ଆନ୍ଦୋଳନ ପାଇଁ ବିକ୍ଷୋଭକାରୀମାନେ ଯାଇପାରିବେ । କିନ୍ତୁ ବିକ୍ଷୋଭ ପାଇଁ ରାସ୍ତାକୁ କାହିଁକି ବନ୍ଦ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏହଦ୍ୱାରା ସାଧାରଣଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଧାରଣାରତ ଲୋକେ କୌଣସି ଦଳ ବା ସଂଗଠନର ନୁହେଁ ବୋଲି କହିଛନ୍ତି । ସମ୍ବିଧାନକୁ ସମ୍ମାନ କର, ରାସ୍ତା ଖାଲି କର ଓ ବଦେ ମାତରମ ସ୍ଲୋଗାନ ଦେଇ ସରିତା ବିହାର ଓ ଯଶୋଲା ଅଞ୍ଚଳର ବାସିନ୍ଦାମାନେ ଏହି ଧାରଣା ଦେଇଛନ୍ତି । ତେବେ ଶାହୀନବାଗ ପ୍ରଦର୍ଶନକାରୀଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଏହା ପ୍ରଥମ ଆନ୍ଦୋଳନ ନୁହେଁ । ପୂର୍ବରୁ ମଧ୍ୟ ଏହାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ଲୋକେ ଆନ୍ଦୋଳନ କରିଥିଲେ । ଗତକାଲି କାଳିନ୍ଦୀ କୁଞ୍ଜ ମାର୍କେଟର ଦୋକାନୀମାନେ ଆଇନଜୀବି ଅମିତ ଶାହାନୀଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଥିଲେ ।
previous post
next post