ନୂଆଦିଲ୍ଲୀ: ୧୯୮୪ ଶିଖ ବିରୋଧୀ ଦଙ୍ଗାର ୧୮୬ ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଏସ ଏନ ଢିଗରାଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷ ଯାଞ୍ଚ ଦଳର ସୁପାରିଶ ସ୍ୱୀକାର କରିଛି ଓ ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ନେବ ବୋଲି ଆଜି କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି ।
ପ୍ରଧାନ ବିଚାରପତି ଜଷ୍ଟିସ ଏନ ଏ ବୋବଡେ, ଜଷ୍ଟିସ ବି ଆର ଗବଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠକୁ ଯାଚିକା କର୍ତ୍ତାଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ଆର ଏସ ସୁରୀ ସୂଚନା ଦେଇଛନ୍ତି କି, ବିଶେଷ ଯାଞ୍ଚ ଦଳର ରିପୋର୍ଟରେ ପୁଲିସ ଅଧିକାରୀଙ୍କ ଭୂମିକା ନିନ୍ଦନୀୟ । ୧୯୮୪ ଶିିଖ ଦଙ୍ଗାରେ କଥିତ ରୂପେ ଲିପ୍ତ ପୁଲିସ ଅଧିକାରୀମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଆବେଦନ କରିବେ । ସେହିପରି କେନ୍ଦ୍ରର ସଲିସିଟର ଜେନେରାଲ ତୁଷାର ମେହତା ଖଣ୍ଡପୀଠକୁ କହିଛନ୍ତି, ତାଙ୍କ ପକ୍ଷ ରିପୋର୍ଟରେ କରାଯାଇଥିବା ସୁପାରିଶକୁ ସ୍ୱୀକାର କରି ନେଇଛନ୍ତି ଓ ଏହି ମାମଲାରେ ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ନିଆଯିବ । ଶୁଣାଣି କାଳରେ ସୁରୀ ବିଶେଷ ଯାଞ୍ଚ ଦଳର ରିପୋର୍ଟକୁ ଆଧାର କରି କହିଥିଲେ, ପୁଲିସ ଅଧିକାରୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । କାରଣ ଏହା ପୁଲିସର ସହଯୋଗରେ ହୋଇଥିଲା । ଏହି ପୁଲିସ ଅଧିକାରୀମାନେ ଖସିଯିବା ଠିକ ନୁହେଁ । ଏହା ପରେ ମେହତା କୋର୍ଟଙ୍କୁ ସୂଚନା ଦେଇଥିଲେ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରୀଙ୍କ ପାଖରେ ରେକର୍ଡ ଅଛି ଓ ତାହାକୁ ସିବିଆଇକୁ ଫେର।।ଇ ଦେବା ଆବଶ୍ୟକ, ଫଳରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।
ସୂଚନା ଯୋଗ୍ୟ, ଶିଖ ଦଙ୍ଗାର ଯାଞ୍ଚ ପାଇଁ ଜାନୁଆରୀ ୧୧ ୨୦୧୮ରେ ଏହି ଯାଞ୍ଚ ଦଳ ଗଠିତ ହେ।।ଇଥିଲା । ଏହି ଦଳରେ ବିଚାରପତି ଢିଗରା ଅଧ୍ୟକ୍ଷତା କରିଥିବା ବେଳେ ନେବା ନିବୃତ୍ତ ଆଇପିଏସ ଅଧିକାରୀ ରାଜଦୀପ ସିଂହ, ବର୍ତ୍ତମାନର ଆଇପିଏସ ଅଧିକାରୀ ଅଭିଷେକ ଦୁଲାର ସାମିଲ ଥିଲେ । କିନ୍ତୁ ରାଜଦୀପ ଏହିମାମଲାରେ ବ୍ୟକ୍ତିଗତ କାରଣରୁ ଓହରି ଯାଇଥିଲେ । ଏହା ପୂର୍ବରୁ ଗତ ବର୍ଷ ମାର୍ଚ୍ଚ ମାସରେ ସୁପ୍ରିମ କୋର୍ଟ ଯାଞ୍ଚ ଦଳକୁ ତଦନ୍ତ ପୂରା କରିବାକୁ ଦୁଇ ମାସ ସମୟ ଦେଇଥିଲେ । ଏହା ପରେ ଯାଞ୍ଚ ଦଳ ୫୦ ପ୍ରତିଶତ ଯାଞ୍ଚ ଶେଷ କରିନେଇଥିଲା । କିନ୍ତୁ ବାକି ଯାଞ୍ଚ ପାଇଁ ଆଉ ୨ ମାସ ମାଗିଥିଲେ ।
ଉଲ୍ଲେଖ ଯୋଗ୍ୟ, ଇନ୍ଦିରା ଗାନ୍ଧୀ ଶାସନ କାଳରେ ଅକ୍ଟୋବର ୩୧ ୧୯୮୪ରେ ତାଙ୍କ ଦୁଇ ସୁରକ୍ଷା କର୍ମୀ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏହା ପରେ ଦିଲ୍ଲୀ ସହିତ ଦେଶର ବିଭିନ୍ନ ସ୍ଥାନରେ ଶିଖ ବିରୋଧୀ ଦଙ୍ଗା ଦେଖାଦେଇଥିଲା । ଦିଲ୍ଲୀରେ ଶିଖ ଦଙ୍ଗାରେ ୨,୭୩୩ ଜଣଙ୍କ ମୃତ୍ୟୁ ହୋଇଥିଲା ।