(ନୂଆଦିଲ୍ଲୀ): ଆସନ୍ତା ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ବିଜେପି ତାର ଷ୍ଟାର ପ୍ରଚାରକମାନଙ୍କ ତାଲିକା ଘୋଷଣା କରିଛି । କିନ୍ତୁ ଏହା ମଧ୍ୟରେ ଦୁଇ ବିଜେପି ନେତାଙ୍କ ଉତ୍ତେଜନାପୂର୍ଣ୍ଣ ବୟାନକୁ ନେଇ ଦିଲ୍ଲୀ ନିର୍ବାଚନ କମିଶନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ସାଂସଦ ପ୍ରବେଶ ସିଂହ ବର୍ମାଙ୍କୁ ବିଜେପିର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦେବା ପାଇଁ ଏକ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ଏହି ଦୁଇ ନେତା ବିଜେପି ପାଇଁ ପ୍ରଚାର କରିପାରିବେ ନାହିଁ । ଆସନ୍ତା ମାସରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଦୁଇ ନେତା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଏକ ମଞ୍ଚରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଦେଇଥିବା ବିବାଦୀୟ ସ୍ଲୋଗାନର ଭିଡିଓ ଏବେ ଭାଇରାଲ ହେଉଛି । ଦେଶଦ୍ରୋହୀଙ୍କୁ ଗୁଳିକରି ମାରିଦିଅ ବୋଲି ସେ କହୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହାକୁ ନେଇ ଗତ ସୋମବାର ନିର୍ବାଚନ କମିଶନ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସେହିପରି ବିଜେପି ସାଂସଦ ପ୍ରବେଶ ସିଂହ ବର୍ମା ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେଇଥିଲେ । ଶାହୀନ ବାଗରେ ଧାରଣାରେ ବସିଥିବା ଆନ୍ଦୋଳନକାରୀ ଘରେ ପଶି ମା’ ଭଉଣୀଙ୍କୁ ଦୁଷ୍କର୍ମ କରିବେ ବୋଲି କହିଥିଲେ । ଏହାକୁ ନେଇ ରାଜନୈତିକ ମହଲରେ ନିନ୍ଦା କରାଯିବା ପରେ ଦିଲ୍ଲୀ ନିର୍ବାଚନ କମିଶନ ପଦକ୍ଷେପ ନେଇଛନ୍ତି ।
next post