ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ସାହିନବାଗ ପ୍ରଦର୍ଶନକୁ ନେଇ ମଧ୍ୟସ୍ଥଙ୍କ ରିପୋର୍ଟ ଦାଖଲ ପରେ ଆଜି ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି । ଜଷ୍ଟିସ ସଞ୍ଜୟ କିଷାନ କୌଲଙ୍କ ଅଧ୍ୟକ୍ଷତାରେ ଗଠିିତ ଖଣ୍ଡପୀଠ ମଧ୍ୟସ୍ଥୀଙ୍କ ରିପୋର୍ଟ ଅଧ୍ୟୟନ ପରେ ଫେବୃଆରୀ ୨୬ ତାରିଖରେ ଏହି ମାମଲାକୁ ଗ୍ରହଣ କରିବେ । ଜଷ୍ଟିସ କୌଲ କହିଛନ୍ତି, ଦୁଇ ମଧ୍ୟସ୍ଥୀ ସେମାନଙ୍କ ରିପୋର୍ଟ ଏକ ବନ୍ଦ ଲଫାପାରେ ଆପେକ୍ସ କୋର୍ଟରେ ଦାଖଲ କରିଛନ୍ତି । ଆମେ ସେହି ରିପୋର୍ଟକୁ ପଢିବୁ ।
ଗତ ସପ୍ତାହରେ ସୁପ୍ରିମ କୋର୍ଟ ଦୁଇ ବରିଷ୍ଠ ଓକିଲ ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଓ ପୂର୍ବତନ ପ୍ରଶାସକ ୱାଜାହାସ ହବିବ୍ୱୁଲ୍ଲାଙ୍କୁ ସାହିନବାଗ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରି ମଝି ରାସ୍ତା ବାହାର କରିବାକୁ ନୁଯୁକ୍ତ କରିଥିଲେ । ମଧ୍ୟସ୍ଥୀମାନେ ପ୍ରଦର୍ଶନକାରୀଙ୍କୁ ଭେଟି ସେଠାରୁ ଆନ୍ଦୋଳନ ଉଠାଇ ଅନ୍ୟ କୌଣସି ସ୍ଥାନରେ କରିବାକୁ ସେମାନଙ୍କୁ ବୁଝାସୁଝା କରିଥିଲେ ।
ସୂଚନା ଯୋଗ୍ୟ, ସାହିନବାଗରେ ଗତ ଡିସେମ୍ବର ମାସରୁ ସିଏଏ, ଏନଆରସି ବିରୋଧରେ ପ୍ରଦର୍ଶନ ଚାଲିଛି । ହଜାର ହଜାର ଲୋକ ଏଥିରେ ସାମିଲ ହୋଇଥିବା ବେଳେ ବହୁ ସଂଖ୍ୟକ ମୁସଲମାନ ମହିଳା ଏଥିରେ ନେତୃତ୍ୱ ନେଇଛନ୍ତି । ଫଳରେ ଉକ୍ତ ରାସ୍ତା ବନ୍ଦ ରହିଛି । ଏଥିରେ ସ୍ଥାନୀୟ ଅଞ୍ଚଳର ଲୋକେ ବହୁ ସମସ୍ୟା ଭୋଗ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନନ୍ଦ କିଶୋର ବାଗ ଓ ଅମିତ ସାହଣି ଏକ ପିଆଇଏଲ ଦ।।ଖଲ କରି ଯଥାଶିଘ୍ର ରାସ୍ତା ଖାଲି କରିବାକୁ କୋର୍ଟ ସରକାରକୁ ନିର୍ଦ୍ଦେଶ ଦେବାକୁ ଗୁହାରି କରିଥିଲେ ।