Uncategorized

ଜାଫରାବାଦରେ ସିଏଏ ହିଂସା

(ନୁଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନଆରସି)କୁ ନେଇ ଦିଲ୍ଲୀର ଜାଫରାବାଦରେ ହିଂସା ଦିନକୁ ଦିନ ତେଜିବାରେ ଲାଗିଛି । ସୋମବାର ଉଭୟ ସିଏଏ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ଏହି ହିଂସା ହୋଇଛି । ତେବେ ପ୍ରଦର୍ଶନକାରୀମାନେ ଏଠାରେ ୩ଟି ଗାଡି ଜାଳି ଦେଇଛନ୍ତି । ଏହାସହ ସିଏଏ ସପକ୍ଷବାଦୀ ଗୋଷ୍ଠୀ ଓ ବିରୋଧୀମାନେ ପରସ୍ପରକୁ ପଥରମାଡ କରିଛନ୍ତି । ପ୍ରଦର୍ଶନକାରୀମାନେ ଗୁଳିଚାଳନା କରିଥିବା ମଧ୍ୟ ଜଣାପଡିଛି । ଗୁଳିମାଡ଼ରେ ଜଣେ ଯୁବକ ଓ ପୋଲିସ କର୍ମୀ ଆହତ ହୋଇଥିବା ଜଣାଯାଇଛି । ଏହାବ୍ୟତୀତ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ବିକ୍ଷୋଭକାରୀଙ୍କ ହିଂସାର ଶିକାର ହେବାକୁ ପଡିଛି । ସେହିପରି ଦିଲ୍ଲୀର ମୌଜପୁର ଅଞ୍ଚଳରେ ମଧ୍ୟ ସିଏଏ ସମର୍ଥକ ଓ ବିରୋଧୀମାନେ ମୁହାଁମୁହିଁ ହୋଇଛନ୍ତି । ଏଠାରେ ହିଂସାକୁ ଦମନ କରିବାକୁ ଯାଇ ୧୫ ପୋଲିସ କର୍ମଚାରୀଙ୍କୁ ଆହତ ହେବାକୁ ପଡିଛି । ଏହି ଦୁଇ ଅଞ୍ଚଳରେ ସିଏଏକୁ ନେଇ ଉପୁଜିଥିବା ହିଂସାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଉତ୍ତରପୂର୍ବ ଦିଲ୍ଲୀର ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶାନ୍ତି ବଜାୟ ରଖିବାକୁ ଟୁଇଟ୍ କରି ଆହ୍ୱାନ ଦେଇଛନ୍ତି । ଉପରାଜ୍ୟପାଳ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ଆଇ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ସେ ନିବେଦନ କରିଛନ୍ତି । ଜାଫରାବାଦ ଏବଂ ମୌଜପୁର-ବାବରପୁର ରେଳ ଷ୍ଟେସନକୁ ବନ୍ଦ କରିଦିଆଯାଇଛି । ଏହି ଦୁଇ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରକୁ ବନ୍ଦ କରାଯାଇଥିବା ଦିଲ୍ଲୀ ମେଟ୍ରୋ ଷ୍ଟେସନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀର ମୌଜପୁର ଅଞ୍ଚଳରେ ଏନଆରସିକୁ ନେଇ ଏହାର ସମର୍ଥକ ଓ ବିରୋଧୀମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ସମୟରେ ଉଭୟ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିଥିଲେ । ଫଳରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସର ପ୍ରୟୋଗ କରିଥିଲା ।

Related posts

୩୧ ଯାଏ ଅହମ୍ମଦାବାଦରେ ପାନ ଦୋକାନ ବନ୍ଦ

mahabharatanews

 ବିଧାନସଭାରେ ଭିଡିଓ କନଫରେସିଂ ଦ୍ୱାରା ବିଧାୟକ ମାନେ ଭାଗ ନେବା ବ୍ୟବସ୍ଥାକୁ ବିଜେପିର ବିରୋଧ

mahabharatanews

ନେତାଜୀଙ୍କ ଜନ୍ମ ଦିନକୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ କେନ୍ଦ୍ରର ନିଷ୍ପତ୍ତି

mahabharatanews