ଥିରୁଅନନ୍ତପୁରମ୍: ଦେଶରେ କରୋନା ସଂକ୍ରମଣ ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ଏବେ ଆଉ ଏକ ନୂଆ ଭୂତାଣୁ ମୁଣ୍ଡ ଟେକିଲାଣି । ଏହି ଭୂତାଣୁର ନାମ ନିପା ଭାଇରସ । ଏହି ଭୂତାଣୁ ସଂକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଛି ଓ ଅନ୍ୟ ୨ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ମୃତକ ଓ ସଂକ୍ରମିତ ସମସ୍ତେ କେରଳର । ଏନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି ।
ନିପା ଭୂତାଣୁ ସଂକ୍ରମଣରେ ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ସଂକ୍ରମିତ ହୋଇଛନ୍ତି । ଏହି ସଂକ୍ରମିତଙ୍କ ସମେତ ୨୦ ଜଣ ମୃତକର ସଂସ୍ପର୍ଶରେ ଆସିଥିଲେ । କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନାନୁଯାୟୀ, ମୃତକ ସଂସ୍ପର୍ଶରେ ମୋଟ ୧୮୮ ଜଣ ଆସିଥିବା ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ସର୍ଭେଲାନ୍ସ ଟିମ୍ ହାଇ ରିସ୍କ କଣ୍ଟାକ୍ଟସ୍ ଭାବେ ଚିହ୍ନଟ କରିଛି ଓ ୨ ଜଣଙ୍କ ଠାରେ ନିପାର ଲକ୍ଷଣ ଦେଖାଦେଇଛି । ଜଣେ ପ୍ରାଇଭେଟ୍ ହସ୍ପିଟାଲ୍ରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ୟ୍ୟ କରୁଥିବା ବେଳେ ଅନ୍ୟ ଜଣେ କୋଝିକୋଡ ମେଡିକାଲ୍ କଲେଜ ହସ୍ପିଟାଲରେ କର୍ମଚାରୀ ଥିବା ଜଣାପଡିଛି । କୋଝିକୋଡ ମେଡିକାଲ୍ କଲେଜରେ ୨୦ ଜଣ ହାଇ ରିସ୍କଙ୍କୁ ଭର୍ତ୍ତି କରାଯାଇଛି । । ଅନ୍ୟମାନଙ୍କୁ ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
ମୃତ ନାବାଳକ ଜଣକ କୋଝିକୋଡ଼ ଜିଲ୍ଲା ଚୁଲୁର ଗାଁର। ଜ୍ୱର ହେବା ପରେ ନାବାଳକକୁ ସେପଟେମ୍ବର ୧ରେ କୋଝିକୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ନମୁନା ଟେଷ୍ଟ ପାଇଁ ପଠା ଯାଇଥିଲା । ରିପୋର୍ଟ ଆସିବା ପରେ ସେ ନିପା ଭୂତାଣୁଦ୍ୱାରା ସଂକ୍ରମିତ ଥିବା ଜଣାପଡିଛି । ନାବାଳକର ପ୍ଲାଜମା, ସେରମରେ ନିପା ଭୂତାଣୁ ଠାବ ହୋଇଛି। ୨୦୧୮ ରେ କେରଳରେ ନିପା ସଂକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା।
