ପାଇଖାନା ଟାଙ୍କି ସ୍ଲାବ୍ ଭାଙ୍ଗି ପଡ଼ିବାରୁ ଟାଙ୍କିରେ ଖସିପଡିଲା ହାତୀ । ଦୀର୍ଘ ସମୟ ପରେ ଜେସିବି ସାହାଯ୍ୟରେ ଖୋଳି ଉଦ୍ଧାର କଲେ ବନ କର୍ମଚାରୀ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଗଦାଶିଳା ଫରେଷ୍ଟ ସେକ୍ସନର ଚାଇଁପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗ୍ରାମକୁ ପଶି ଆସିଥିବା ଏକ ହାତୀ ପାଇଖାନା ଟାଙ୍କିରେ ଫସି ହନ୍ତ ସନ୍ତ ହୋଇଥିଲା । ଗତ କାଲି ବିଳମ୍ବିତ ରାତ୍ରିରେ ହାତୀଟି ଚାଇଁପୁର ଗାଁ ଭିତରକୁ ପଶି ଆସିଥିଲା । ଚାଇଁପୁର ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ବାଡ଼ି ପଛରେ ଥିବା ପାଇଖାନା ଟାଙ୍କି ଉପର ଦେଇ ଯାଉଥିବାବେଳେ ସ୍ଲାବ ଭାଙ୍ଗି ଯାଇଥିଲା । ଫଳରେ ହାତୀଟି ପାଇଖାନା ଟାଙ୍କି ଭିତରେ ପଡିଯାଇ ଆଉ ବାହାରି ପାରି ନଥିଲା । ହାତୀର ଗର୍ଜନ ଶୁଣି ଘର ମାଲିକ ବାଡ଼ି ପଛପଟକୁ ଯାଇ ହାତୀଟି ପାଇଖାନା ଟାଙ୍କିରେ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ପହଁଚି ଜେସିବି ମାଧ୍ୟମରେ ଖୋଳି ହାତୀକୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଦୀର୍ଘ ସମୟର ପରିଶ୍ରମ କରି ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଥିଲା । ହାତୀର ବୟସ ପ୍ରାୟ ୭ରୁ ୮ବର୍ଷ ହେବ ବୋଲି ଜଣାପଡିଛି ।
previous post
next post
