ବେରୁତ: ଲେବାନନର ରାଜଧାନୀ ବେରୁତର ବନ୍ଦରାଞ୍ଚଳରେ ମଙ୍ଗଳବାର ରାତିରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୩୫ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ବିସ୍ଫୋରଣ ୪.୩ ମାତ୍ରାର ଭୂକମ୍ପଠାରୁ ଅଧିକ ଥିଲା। ବେରୁଟ ସହରର ଅେର୍ଦ୍ଧକ ଅଞ୍ଚଳ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି। ଏଥିରେ ୫ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଛନ୍ତି। ବିସ୍ଫୋରଣଜନିତ ଧୂଆଁ ପ୍ରାୟ ୨୦୦କିମି ଦୂର ପର୍ଯ୍ୟନ୍ତ ଆକାଶକୁ ଆଚ୍ଛନ୍ନ କରିଦେଇଥିଲା। ପଡ଼ୋଶୀ ସାଇପ୍ରସ ମଧ୍ୟ ଧୂଆଁରେ ଆଚ୍ଛନ୍ନ ହୋଇଯାଇଥିଲା। ସ୍ଥାନୀୟ ରାସାୟନିକ ପ୍ରସ୍ତୁତି କାରଖାନାରେ ବ୍ୟବହାର ପାଇଁ ବନ୍ଦରାଞ୍ଚଳର ଏକ ଗୋଦାମ ଘରେ ମହଜୁଦ ଥିବା ପ୍ରାୟ ୨୭୫୦ଟନ୍ ଆମୋନିୟମ ନାଇଟ୍ରେଟ୍ ବିସ୍ଫୋରକ କୌଣସି କାରଣରୁ ବିସ୍ଫୋରିତ ହୋଇଥିଲା। ତେବେ ପ୍ରାଥମିକ ତଦନ୍ତରୁ ଏହା ବେପରୁଆ ମନୋଭାବରୁ ହୋଇଥିବା ଜଣାପଡିଛି । ବିସ୍ଫୋରଣ ଉପରେ ତଦନ୍ତ ଜାରି ରହିଛି । ଆମେରିକା ଏହି ତଦନ୍ତରେ ସହଯୋଗର ହାତ ବଢାଇଛି ଲେବାନନକୁ ।
ତେବେ ଏହି ବିସ୍ଫୋରଣ ପରେ ବେରୁତରେ ଖାଦ୍ୟାଭାବର ଆଶଙ୍କା ଦେଖା ଦେଇଛି । ସ୍ଥାନୀୟ ସରକାର ପକ୍ଷରୁ ବିପୁଳ ଖାଦ୍ୟ ଶସ୍ୟ ମହଚୁଦ ଥିବା କୁହାଯାଉଥିଲେ ମଧ୍ୟ ମାସେରୁ ଅଧିକ ସମୟ ଯିବ ନାହିଁ ବୋଲି ଜଣାପଡ଼ିଛି। ବିସ୍ଫୋରଣଜନିତ କ୍ଷତିର ପରିମାଣ ପ୍ରାରମ୍ଭିକ ଭାବେ ୩୦୦କୋଟି ଡଲାର ଆକଳନ କରାଯାଇଛି। ପ୍ରଧାନମନ୍ତ୍ରୀ ହାସନ ଦିଆବ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ବନ୍ଧୁ ରାଷ୍ଟ୍ରଙ୍କଠାରୁ ସହାୟତା ମାଗିଥିବାବେଳେ ବହୁ ରାଷ୍ଟ୍ର ସହାୟତା ପ୍ରଦାନ କରିଛନ୍ତି।
previous post