ଭୁବନେଶ୍ୱର: ବ୍ୟବସାୟୀଙ୍କୁ ଅପହରଣ ଓ ଦାଦାବଟି ଆଦାୟ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ତଡିପାର କରାଯିବ। ଅଭିଯୁକ୍ତଙ୍କୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ଫେରାର ମୁଖ୍ୟ ଅଭିଯୁକ୍ତ ରାଜ ନାମରେ ପୂର୍ବରୁ ମଧ୍ୟ ମାମଲା ରହିଛି । ୪/୫ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ବୋଲି ଡିସିପି ସୂଚନା ଦେଇଛନ୍ତି ।
କେନ୍ଦ୍ରାପଡାର ପୂର୍ଣ୍ଣଚନ୍ଦ୍ର ସାହୁ କୋଲକାତାର ଜଣେ ବ୍ୟବସାୟୀଙ୍କ ସହ ବ୍ୟବସାୟ କରନ୍ତି । କେନ୍ଦୁଝରରୁ ସେମାନେ ଟ୍ରକ ଯୋଗେ ପାରାଦୀପ ବନ୍ଦର ଏବଂ ଅନ୍ୟସ୍ଥାନମାନଙ୍କୁ ଖଣିଜ ପଦାର୍ଥ ଯୋଗାଣ କରନ୍ତି । କିନ୍ତୁ ଦୁଇ ସପ୍ତାହ ତଳେ “ଲାଇଭ କଳିଙ୍ଗ” ୱେବ ପୋର୍ଟାଲ ପକ୍ଷରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଫୋନ ଯାଇଥିଲା । ତୁମ ପରିବହନ କମ୍ପାନୀରେ ଘୋଟାଲାକୁ ନେଇ ଷ୍ଟିଙ୍ଗ ଅପରେସନ କରିଛୁ ବୋଲି ତାଙ୍କୁ ଫୋନରେ ଡରାଇଥିଲେ ଏହି ଚ୍ୟାନେଲର ଜଣେ ମହିଳା ରିପୋର୍ଟର । ପ୍ରତିବର୍ଷ ଫାଙ୍କୁଥିବା ରାଜସ୍ୱର ପ୍ରମାଣ ପୋର୍ଟାଲ ପାଖରେ ଥିବା କହି ଭୟଭୀତ କରାଇଥିଲେ । ଏଥିସହ ତୁରନ୍ତ ଭୁବନେଶ୍ୱରସ୍ଥିତ ଅଫିସକୁ ଆସି ଦେଖା କରିବା ପାଇଁ କୁହାଯାଇଥିଲା । ଗତ ୧୫ ତାରିଖ ଦିନ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରରେ ଥିବା ି ୱେବ ପୋର୍ଟାଲ ଅଫିସରେ ପହଞ୍ଚିଥିଲେ ପୂର୍ଣ୍ଣଚନ୍ଦ୍ର । ସେଠାରେ ପୋର୍ଟାଲ ମାଲିକ ରାଜ ଏବଂ ଅନ୍ୟ କର୍ମଚାରୀମାନେ ତାଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିଥିଲେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ଟଙ୍କା ଦେବାକୁ ସିଧା ମନା କରି ଦେଇଥିଲେ ।
ଏହାପରେ ପୂର୍ଣ୍ଣଚନ୍ଦ୍ରଙ୍କ ଉପରେ ଆରମ୍ଭ ହୋଇଥିଲା ୱେବ ପୋର୍ଟାଲ କର୍ମଚାରୀଙ୍କ ଆତଙ୍କ । ଗୋଟିଏ ରୁମରେ ପୂର୍ଣ୍ଣଚନ୍ଦ୍ର ଏବଂ ତାଙ୍କ ସହଯୋଗୀଙ୍କୁ ବନ୍ଦ କରିବା ସହ ୨ ଦିନ ପର୍ଯ୍ୟନ୍ତ ଲୁହା ରଡ, କାଠ ଫାଳିଆ ଇତ୍ୟାଦିରେ ନିର୍ଦ୍ଧୁମ ମାଡ ମାରିଥିଲେ । ତାଙ୍କ ଦେହରେ ସିଗାରେଟର ଚେଙ୍କ ମଧ୍ୟ ଦେଇଥିଲେ । ଏହାପରେ ପରିବାରକୁ ଫୋନ ଯୋଗେ ୫ଲକ୍ଷ ଟଙ୍କା ମଗାଯାଇଥିଲା । ପରିବାର ଲୋକେ କିଛିି ଉପାୟ ନ ପାଇ ଟଙ୍କା ଦେଇ ଉଭୟଙ୍କୁ ମୁକୁଳାଇଥିଲେ । ତେବେ ଦୁଇ ଦିନ ତଳେ ପୂର୍ଣ୍ଣଚନ୍ଦ୍ର ଏବଂ ତାଙ୍କ ସାଥୀ ଏ ନେଇ ଥାନାରେ ଏତଲା ଦେବା ପରେ ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏଥିସହିତ ଘଟଣାସ୍ଥଳକୁ ଯାଇ ଅଫିସ ସିଲ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ ତଡ଼ିପାର କରାଯିବ। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି।
ଡିସିପି ଆହୁରି କହିଛନ୍ତି-“ମହିଳା ସାମ୍ୱାଦିକା ଓ ତାଙ୍କ ସିଇଓଙ୍କ ବିରୋଧରେ ଗତ ୭ ମାସ ଭିତରେ ଦୁଇଟି ମାମଲା ହୋଇଛି । ଅନେକ ସ୍ଥାନରେ ଗଣ୍ଡଗୋଳ କରୁଥିବା ନଜିର ମଧ୍ୟ ରହିଛି ।
