( ଝାରସୁଗୁଡ଼ା) : ଜାନୁଆରୀ ୧୯ ରୁ ତିନି ଦିନ ଧରି ଝାରସୁଗୁଡ଼ା ଠାରେ ଭାରତୀୟ ଉଦ୍ୟୋଗ ପରିସଂଘ (ସିଆଇଆଇ) ତରଫରୁ “ଏଣ୍ଟରପ୍ରାଇଜ୍, ଓଡ଼ିଶା” ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଝାରସୁଗୁଡା ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ସିଆଇଆଇର ଏହି ୨୪ ତମ ସମ୍ମିଳନୀ ଆୟୋଜନ ସଂପର୍କରେ ଏହାର ପ୍ରସ୍ତୁତି, କାର୍ଯ୍ୟକ୍ରମର ରୁପରେଖ ଓ ରାଜ୍ୟ ସରକାରଙ୍କ ସହଯୋଗ ସଂପର୍କରେ ଆଜି ଅପରାହ୍ନରେ ଏକ ବୈଠକ ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ସୂଚନାନୁଯାୟୀ , ପୂର୍ବରୁ ଭୁବନେଶ୍ୱରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ ଥର କରି ଏହା ଝାରସୁଗୁଡ଼ା ଠାରେ ଏହା ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶା ବିଶେଷ କରି ଝାରସୁଗୁଡା ଏବଂ ପଶ୍ଚିମ ଓଡିଶାରେ ଶିଳ୍ପ ଓ ଆନୁଷଙ୍ଗିକ କ୍ଷେତ୍ରରେ ପୁଞ୍ଜିନିବେଶ ସୁଯୋଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏମଏମଇ) ଗୁଡ଼ିକୁ ବ୍ୟବସାୟିକ ସୁଯୋଗ ଦେବା ଓ ସେସବୁକୁ ବୃହତ୍ ଶିଳ୍ପ ସଂସ୍ଥା ସହିତ ଯୋଡ଼ିବା, ମହିଳା ଉଦ୍ୟୋଗୀ ଓ ଷ୍ମାର୍ଟଅପ୍ ଗୁଡିକୁ ପ୍ରୋତ୍ସାହନ ଦେବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।
