ମୁରାଦାବାଦ: କରୋନା ଟୀକା ନେଇ ଜଣେ ୪୬ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ । ଟୀକା ନେବାର ଏକ ଦିନ ବ୍ୟବଧାନରେ ତାଙ୍କ ମୃତ୍ୟୁ ହୋଇଥିବା ଅଧିକାରିକ ସୂତ୍ରରୁ ଆଜି ସୂଚନା ଦିଆଯାଇଛି । ପରିବାର ପକ୍ଷରୁ ଏହାକୁ ଟୀକା ପାଇଁ ମୃତ୍ୟୁ କୁହାଯାଉଥିବା ବେଳେ କିନ୍ତୁ ପ୍ରଶାସନ କହିଛି, ସେ ହୃଦରୋଗରେ ପୀଡିତ ଥିଲେ । ମୃତ ସ୍ୱାସ୍ଥ୍ୟକର୍ମୀ ମୁରାଦାବାଦ ସରକାରୀ ହସ୍ପିଟାଲରେ ୱାର୍ଡ ବୟ ଭାବେ କାର୍ଯ୍ୟକରୁଥିଲେ । ଶନିବାର ଟୀକା ନେବା ପରେ ସେ ଅସୁସ୍ଥତା ଅନୁଭବ କରିଥିବା ପରିବାର ପକ୍ଷରୁ କୁହାଯାଇଛି ।
ମୃତ ୱାର୍ଡବୟ ମହିପାଳଙ୍କ ପୁଅ ବିଶାଳ କହିଛନ୍ତି, ଟୀକା ନେବା ପରେ ତାଙ୍କ ଶ୍ୱାସକ୍ରିୟାରେ କଷ୍ଟ ହେବାରୁ ତାଙ୍କ ବାପା ତାଙ୍କୁ ହସ୍ପିଟାଲ ଡକାଇପଠାଇଥିଲେ । ବିଶାଳ ଆହୁରି କହିଛନ୍ତି, ମୋ ବାପାଙ୍କର କଫ ସମସ୍ୟା ଥିଲା, କିନ୍ତୁ ଟୀକା ନେବା ପରେ ରବିବାର ଦିନ ତାଙ୍କୁ ଜ୍ୱର ହେବା ସହ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ରାତିରେ ତାଙ୍କ ମୃତ୍ୟୁ ହୋଇଥିଲା ।
କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବା ହସ୍ପିଟାଲ ମୁଖ୍ୟ ମେଡିକାଲ ଅଧିକାରୀ ମିଲିନ୍ଦ ଚନ୍ଦ୍ର ଗର୍ଗ କହିଛନ୍ତି । ସେ କହିଛନ୍ତି, ଜଣାପଡୁଛି, ମହିପାଲ ହୃଦରୋଗରେ ପୀଡିତ ଥବଲେ । ତେବେ ହସ୍ପିଟାଲର କିଛି ସ୍ୱାସ୍ଥ୍ୟକର୍ମଚାରୀଙ୍କ ଟୀକାକରଣ ପରେ ସାମାନ୍ୟ ଜ୍ୱର ହୋଇଥିଲା, କିନ୍ତୁ ଅନ୍ୟ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖବାକୁ ମିଳିନାହିଁ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଟୀକା କାରଣରୁ ମହିପାଳଙ୍କ ମୃତ୍ୟୁକୁ ଖଣ୍ଡନ କରାଯିବା ପରେ ମୃତକଙ୍କ ପରିବାର କହିଛନ୍ତି, ତାଙ୍କର ପୂର୍ବରୁ କେବେ ହୃଦସମସ୍ୟା ଦେଖା ଦେଇ ନ ଥିଲା । ସେ ସୁସ୍ଥ ଥିଲେ । ତାଙ୍କର କେବଳ ସାମାନ୍ୟ କଫ ସମସ୍ୟା ଥିଲା । ତେବେ ମୁରାଦାବାଦ ଜିଲ୍ଲା ମାଜିଷ୍ଟ୍ରେଟ ରାକେଶ ସିଂହ କହିଛନ୍ତି, ଟୀକାକରଣ ସମ୍ପୂର୍ଣ୍ଣ ନିରାପଦ । ମହିପାଳଙ୍କ ମାମଲା ଏକ ବ୍ୟତିକ୍ରମ ଓ ଏହା ଉପରେ ଅଧିକ ମେଡିକାଲ ପରୀକ୍ଷଣର ଆବଶ୍ୟକତା ରହିଛି ।