Uncategorized

ଚୀନକୁ ଗ୍ରାସିଛି କୋରୋନା, ମୃତ୍ୟୁସଂଖ୍ୟା ୨୦୦୦ ଟପିଲା, ୭୦ ହଜାରରୁ ଉଦ୍ଧ୍ୱର୍ ଆକ୍ରାନ୍ତ

(ମହାଭାରତ, ବେଜିଂ): କୋରୋନା ଭାଇରସ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଚୀନରେ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ଦିନ ପିଛା ୧୦୦ ଜଣ ଲୋକଙ୍କ ପ୍ରାଣହାନୀ ହେଉଥିବା ଲକ୍ଷ୍ୟ କରାଯାଇଛି । ଗତ ୨୪ ଘଣ୍ଟାରେ ଏଥିରେ ଆକ୍ରାନ୍ତ ହୋଇ ଆଉ ୧୩୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଫଳରେ ଏବେ ଚୀନରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨୦୦୪ରେ ପହଞ୍ଚିଛି । ଏହା ବ୍ୟତୀତ ବିଶ୍ୱର ୨୭ଟି ଦେଶକୁ ଏହି ଭାଇରସ ବ୍ୟାପିଛି । ତେଣୁ ଏହି ଭାଇରସକୁ ନେଇ ଏବେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଚୀନର ହୁବେଇ ପ୍ରଦେଶରେ ଏହି ଭାଇରସର ସୃଷ୍ଟି ହୋଇଥିବାରୁ ଏଠାରେ ସର୍ବାଧିକ ଲୋକେ ପ୍ରାଣ ହରାଇଛନ୍ତି । ସୋମବାର ଏଠାରେ ମୃତ୍ୟୁ ସଂଖ୍ୟା ୧୮୦୭ ଥିବା ବେଳେ ମଙ୍ଗଳବାର ୧୬୯୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମଗ୍ର ଦେଶରେ ଏଯାଏ ମୋଟ ୭୪ ହଜାର ୧୮୫ ଜଣ ଚୀନର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ହଜାରରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଇଥିଲେ ମଧ୍ୟ ସୋମବାର ତୁଳନାରେ ମଙ୍ଗଳବାର ମୃତକଙ୍କ ସଂଖ୍ୟା ବଢିଛି । ସୋମବାର ୯୩ ଜଣ ଲୋକ ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳୈ ମଙ୍ଗଳବାର ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୩୬ରେ ପହଞ୍ଚିଥିଲା । ଭୂତାଣୁର ଉତ୍ପତ୍ତିସ୍ଥଳ ହୁବେଇରେ କେବଳ ଦିନକ ମଧ୍ୟରେ ୧୩୨ ଜଣକ ଜୀବନ ଯାଇଛି ।
ସେହିପରି ଚୀନ ବାହାରେ ପ୍ରାୟ ୧ ହଜାରରୁ ଉଦ୍ଧ୍ୱର୍ ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜାପାନର ଏକ ଜାହାଜରେ ଥିବା ଯାତ୍ରୀ କୋରୋନାରେ ଆକ୍ରାନ୍ତ ହେବା ସେଠାକାର ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଦୀର୍ଘ ୧୪ ଅଧିକ ଦିନ ଧରି ଉକ୍ତ ଜାହାଜକୁ ସମସ୍ତଙ୍କ ଠାରୁ ଅଲଗା କରି ଜାପାନର ୟୋକୋହାମ ବନ୍ଦରରେ ରଖାଯାଇଛି । ଏଥିରେ ୧୬୦ ଜଣ ଭାରତୀୟ ରହିଥିବା ଜଣାପଡିଛି । ଦିନକୁ ଦିନ କୋରୋନାକୁ ନେଇ ସ୍ଥିତି ବିଗୁଡୁଥିବାରୁ ଏକାଧିକ ରାଷ୍ଟ୍ର ଚୀନ ସହ ବ୍ୟବସାୟିକ ସମ୍ପର୍କକୁ ଛିନ୍ନ କରିଛନ୍ତି । ଫଳରେ ବିମାନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗମନାଗମନ ସେବା ମଧ୍ୟ ଠପ୍ ହୋଇଯାଇଛି ।

Related posts

୭ ପର୍ଯ୍ୟନ୍ତ ଉତ୍ତରପୂର୍ବ ଦିଲ୍ଲୀରେ ସ୍କୁଲ ବନ୍ଦ

mahabharatanews

ଜଳିଗଲା ତୀର୍ଥଯାତ୍ରୀ ବସ, ୧୫ ଆହତ

mahabharatanews

ଦେଶର ୩୦୦ ବରିଷ୍ଠ ବ୍ୟକ୍ତିବିଶେଷ ପେଗାସସ୍ ଶିକାର

mahabharatanews