Uncategorized

ମୌଜପୁରରେ ଫାୟାରିଂ

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ପଥର ମାଡ ପରି ଘଟଣା ଘଟିଥିବା ବେଳେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବକ ହାତରେ ବନ୍ଧୁକ ନେଇ ଆଖିବୁଜା ଗୁଳି ଚଳାଉଛି । ଘଟଣାଟି ମୌଜପୁର ଓ ଯଫରାବାଦ ମଧ୍ୟରେ ଥିବା ସଡକକୁ ସଂଯୋଗ କରିଥିବା ରାସ୍ତାରେ ଘଟିଛି । ଯୁବକ ବନ୍ଧୁକରୁ ୮ ରାଉଣ୍ଡ ଫାୟାରିଂ କରିଛି । ଏହା ପରେ ପୁଲିସ ଯୁବକକୁ କବ୍ଚାକୁ ନେଇ ଯାଇଛି । ଏହି ହିଂସାରେ ପୁଲିସର ଜଣେ ହେଡ କନେଷ୍ଟବଳ ରତନଲାଲଙ୍କ ମୃତ୍ୟୁ ହୋଇଛି । ସେଠାର ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷାବଳ ମୁତୟନ କରାଯାଇଛି । ପୁଲିସକୁ ଲାଠି ଚାର୍ଜ ସହ ଲୁହ ବୁହା ଗ୍ୟାସର ପ୍ରୟୋଗ କରିବାକୁ ହୋଇଛି ।

ରବିବାର ଉତ୍ତେଜନା ପରେ ମଧ୍ୟ ସୋମବାର ପ୍ରଦର୍ଶନ ଜାରି ରହିଛି । ମୌଜପୁର ମନ୍ଦିର ନିକଟରେ ସିଏଏ ସମର୍ଥକ ଓ ସ୍ଥାନୀୟ ଲୋକେ ସଡକରେ ଜମା ହୋଇଛନ୍ତି । ସଡକ ଜାମ କରି ମାଇକ ଯୋଗେ ଜୟ ଶ୍ରୀରାମର ନାରା ଦିଆଯାଉଛି । ଏଥିସହ ଘୋଷଣା କରାଯାଇଛି, ଏଠାରେ ପ୍ରତ୍ୟହ ହନୁମାନ ଚାଳିଶା ପାଠ କରାଯିବ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନରେ ଭାରି ମାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ଲାଗୁ କରାଯାଇଛି । ପ୍ରଦର୍ଶନକାରୀଙ୍କ ଅନୁଯାୟୀ, ସମ୍ବିଧାନ ଆମକୁ ମଧ୍ୟ ଧାରଣା ଦେବାର ଅଧିକାର ଦେଇଛି । ଯେପର୍ଯ୍ୟନ୍ତ ସାହିନବାଗ, ଜାଫରାବାଦ, ଚାନ୍ଦ ବାଗରେ ରାସ୍ତା ଖାଲି ନ ହେବ ସେ ପର୍ଯ୍ୟନ୍ତ ମୌଜପୁରରୁ ମଧ୍ୟ ଭିଡ ରାସ୍ତା ଉପରେ ଲାଗି ରହିବ । ଏହି ଧାରଣାରେ ମହିଳା ମଧ୍ୟ ସାମିଲ ହୋଇଛନ୍ତି । ଏହା ମଧ୍ୟରେ ସିଏଏ ବିରୋଧରେ ଜାଫରାବାଦ, ମୌଜପୁର ଓ ଦୟାଲପୁରରେ ହୋଇଥିବା ହିଂସାରେ ପୁଲିସ ୪ଟି ଏଫଆଇଆର ଦାୟର କରିଛି । ରବିବାର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସା ଘଟଣାରେ ୧୦ ପୁଲିସ କର୍ମୀଙ୍କ ସହ ଜଣେ ସାଧରଣ ନାଗରିକ ଆହତ ହୋଇଥିଲେ ।

ସୂଚନା ମୁତାବକ, ରବିବାର ଦିନ ଉତ୍ତର ପୂର୍ବ ଦିଲ୍ଲୀର ମୌଜପୁର, କରାବଲ ନଗରରେ ସିଏଏ ସମର୍ଥକ ଓ ବିରୋଧୀ ପରସ୍ପର ମୁହାଁମୁହିଁ ହୋଇଥିଲେ । ଏହା ପରେ ମୌଜପୁର, କରାବଲ ନଗର ସମେତ କିଛି ଅନ୍ୟ ଅଞ୍ଚଳକୁ ଏହି ହିଂସା ବ୍ୟପୀ ଯାଇଥିଲା ଓ ନିଆଁ ଲଗାଯାଇଥିଲା । ଜାଫରାବଦର ମେଟ୍ରୋ ଷ୍ଟେସନ ତଳେ ମହିଳା ଧାରଣାରେ ବସିଛନ୍ତି । ଫଳରେ ଗୋଟିଏ ପଟେ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ସେପଟେ ଆନ୍ଦୋଳନକାରୀ ମହିଳା ଅଡିବସିଛନ୍ତି କି, ସିଏଏ ଆଇନ ଫେରାଇ ନ ଯିବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରେ ବସି ରହିଥିଲେ ।

Related posts

ଆମେରିକାରେ କରୋନା ସଂକ୍ରମଣ ୭ଲକ୍ଷ ୫୯ ହଜାର ୬୮୭, ମୃତ୍ୟୁ ୪୦ ହଜାର ୬୮୨

mahabharatanews

ବାରାଣସୀର ଏକ କଲେଜ କ୍ଲାସରୁ ମଣିଷ କଙ୍କାଳ ଉଦ୍ଧାର

mahabharatanews

ଅଯୋଧ୍ୟା ରାମ ମନ୍ଦିର ପୂଜକ, ପୁଲିସ କର୍ମୀ କରୋନା ସଂକ୍ରମିତ

mahabharatanews