(ମମତା ସାମଲ): ଋଷିଆରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ଏପରିକି ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କରୋନା ଭାଇରସ ଛାଡ଼ିନାହିଁ । ଋଷିଆର ପ୍ରଧାନମନ୍ତ୍ରୀ ମିଖାଲି ମୁଶୁଷ୍ଟିନ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଏହା ଜଣାପଡ଼ିଛି । ଦେଶରେ ଗୁରୁବାର କରୋନା ଭାଇରସରେ ପୀଡ଼ିତ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିସାରିଛି । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ୧ ହଜାର ଅତିକ୍ରମ କରିଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ ପ୍ରଧାନମନ୍ତ୍ରୀ ଭାବେ ମିଖାଲି ଶପଥ ଗ୍ରହଣ କରିଥିଲେ । ତାଙ୍କର ନମୁନା ପରୀକ୍ଷା ପରେ ଗୁରୁବାର ପଜିଟିଭ ରିପୋର୍ଟ ଆସିଛି । ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ସହ ଟେଲିଭର୍ସନ ବ୍ରଡକାଷ୍ଟରେ କରାଯାଇଥିବା ଏକ ଭିଡିଓରେ ମିଖାଲି ଏହି ସୂଚନା ଦେଇଛନ୍ତି । ଏଥି ସହ ସେ କହିଛନ୍ତି, ବର୍ତ୍ତମାନ ପାଇଁ ସେ ପ୍ରଧାନମନ୍ତ୍ରୀ ପଦରୁ ଦୂରରେ ରହିବେ । ସେ ଆନ୍ଦ୍ରେ ବେଲୁସୋଭଙ୍କୁ କାର୍ୟ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତି ପୁତିନ ଏହାକୁ ସ୍ୱୀକୃତି ଦେଇଛନ୍ତି । ମିଶାଇଲଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।