ଭୁବନେଶ୍ୱର/ଶିଳାସ୍ମିତା ରାୟ: ଡିସେମ୍ବର ଶେଷ ବା ଜାନୁଆରୀ ପ୍ରଥମାର୍ଦ୍ଧରେ ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସୁଛନ୍ତି ଓଡିଶା । ଦିନ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ଆସିବା ନିଶ୍ଚିତ । ୨୦୨୪ ପାଇଁ ଦଳକୁ ସୁଦୃଢ କରିବାକୁ ଜେପିଙ୍କ ଓଡିଶା ଆଗମନ । ବିହାର ନିର୍ବାଚନରେ ଜେପିଙ୍କ ରଣନୀତି ସଫଳ ହେବା ପରେ ଏବେ ବିଜେପି ଜେପିଙ୍କୁ ଆଶ୍ରା କରିଛି । ଓଡିଶାରେ ମଧ୍ୟ ଜେପିଙ୍କ ଦିଗ୍ଦର୍ଶନରେ ବିଜେପି ସଫଳତା ହାସଲ କରିବା ଲକ୍ଷ୍ୟ ରଖିଛି । କିନ୍ତୁ ଏହି ଗସ୍ତକୁ ନେଇ ରାଜନୈତିକ ବିଶେଷଜ୍ଞଙ୍କ ମତ ଭିନ୍ନ ।

ବିଶେଷଜ୍ଞଙ୍କ ମତରେ ଜେପି ଆସନ୍ତୁ ଅବା ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିôବା ଅମିତ ଶାହା ଅବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯେପର୍ଯ୍ୟନ୍ତ ବିଜେପି ବିଫଳତାର ଖିଅ ଧରା ନ ଯାଇଛି ସେପର୍ଯ୍ୟନ୍ତ ଗସ୍ତ ବିଫଳ । ବିଜେପି ଏକ ରାଷ୍ଟ୍ରୀୟ ଦଳ ହୋଇଥିଲେ ମଧ୍ୟ ରାଜ୍ୟରେ ବିଜେପିର ସ୍ଥିତି ଦୁର୍ବଳ । ବିଶେଷଜ୍ଞଙ୍କ ମତରେ ବିଜେପି ନେତାଙ୍କ ମଧ୍ୟରେ ଥିବା ଫାଟ ଏହି ବିଫଳତାର କାରଣ । ବିଜେପି ରାଜ୍ୟରେ ଯଦିଓ ବିରୋଧୀର ସ୍ଥାନ ଅଧିକାର କରିଛି, କିନ୍ତୁ ଦଳୀୟ ନେତାଙ୍କ ମଧ୍ୟରେ ତାଳ ମେଳ ଅଭାବ ଦଳ ପାଇଁ ଘାତକ ସାବ୍ୟସ୍ତ ହେଉଛି । ରାଜ୍ୟରେ ଦଳୀୟ ନେତାଙ୍କ ମଧ୍ୟରେ ନାହିଁ ସମନ୍ୱୟ । ଆତ୍ମ ଗର୍ବ, ମୁଁ ବଡ ନୀତିରେ ଦଳୀୟ କର୍ମକର୍ତ୍ତା କାର୍ଯ୍ୟ କରୁଛନ୍ତି । ନେତା ସାମୂହିକ କାର୍ଯ୍ୟଧାରାକୁ ଆପଣେଇବା ବଦଳରେ ବ୍ୟକ୍ତି କୈନ୍ଦିକ ହୋଇଯାଉଥିବା ମତ ପ୍ରକାଶ ପାଉଛି । ରାଜ୍ୟର କିଛି ବିଜେପି ନେତାଙ୍କୁ ଜାତୀୟସ୍ତରରେ ବିଭିନ୍ନ ବଡବଡ ପଦରେ ଆସିନ୍ନ କରାଯାଇଛି । କିନ୍ତୁ ରାଜ୍ୟରେ ସେହି ନେତାଙ୍କ ମଧ୍ୟରେ ହଜାରେ ଫାଙ୍କ । ଜଣେ ପୂର୍ବକୁ ମୁହଁ କରିଥିବା ବେଳେ ଜଣେ ପଶ୍ଚିମକୁ । କେହି କାହା କଥା ଶୁଣିବାକୁ ନାରାଜ । ସମସ୍ତେ ନିଜକୁ ତହୁଁ ବଡା ମନେ କରୁଛନ୍ତି। ଏହି ବଡିମା ଆଜି ରାଜ୍ୟ ବିଜେପି ପାଇଁ କାଳ ହୋଇଛି । ରାଜ୍ୟରେ ବିଜେଡି ଶାସନରେ ପ୍ରିୟାପ୍ରିତି ତୋଷଣ, ଗରିବ ମାରଣ ନୀତି, ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତିକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲେ ମଧ୍ୟ ବିଜେଡିର ବିକଳ୍ପ ନ ପାଇବାରୁ ଲୋକେ ବାଧ୍ୟହୋଇ ବିଜେଡିକୁ ବାଛୁଛନ୍ତି ।

୨୦୧୪ ପରଠାରୁ ରାଜ୍ୟରେ ଶାସନ ବ୍ୟବସ୍ଥା ଓ ପ୍ରଶାସନିକ କଳର ଯେଉଁ ଅଧୋଗତି ଘଟିଛି । ପୁଲିସ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଲୋକେ ତ୍ରାହି ତ୍ରାହି ଡାକ ଦେଉଛନ୍ତି । ତଥାପି ଲୋକେ ବିଜେପି ଉପରେ ଆସ୍ଥାପ୍ରକଟ କରିପାରୁ ନାହାନ୍ତି ନେତାଙ୍କ ‘ହମ ବଡା’ ନୀତି ପାଇଁ । ସମ୍ପ୍ରତିକ ପରିସ୍ଥିତିରେ ଭୁବନେଶ୍ୱର ସାଂସଦ ତାଙ୍କ ପୂର୍ବ ଦକ୍ଷତା ଓ ପାରଦର୍ଶିତା ପାଇଁ ଲୋକଙ୍କ ସାମାନ୍ୟ ଆସ୍ଥା ଭାଜନ ହୋଇଥିଲେ ମଧ୍ୟ ରାଜ୍ୟର ଦଳୀୟ କର୍ମକର୍ତ୍ତାଙ୍କ ସହ ତାଙ୍କର ପଡୁନାହିଁ । ବିଭିନ୍ନ କାର୍ଯ୍ୟକ୍ରମରେ ପୂର୍ବରୁ ଅନେକ ଥର ତାଙ୍କୁ କାର୍ଯ୍ୟକ୍ରମରୁ ବାଦ ଦେବାର ନଜିର ରହିଛି । ନିକଟ ଅତୀତରେ ମଧ୍ୟ କରୋନା ନିୟମ ଉଲ୍ଲଙ୍ଘନକୁ ନେଇ ବିଏମସି ତାଙ୍କ ଅଫିସ ସିଲ କରିବା ବେଳେ ବିଜେପିର ଦଳୀୟ ନେତା ତାଙ୍କୁ ସହଯୋଗ କରି ନ ଥିବା ଦେଖିବାକୁ ମିଳିଥିଲା । କିନ୍ତୁ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରିଥିଲା । ଏହା ବ୍ୟତୀତ ସାଂସଦ ମଧ୍ୟ ତାଙ୍କ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ ଯୋଜନାରେ ଜାତୀୟ ନେତା ଓ ରାଜ୍ୟ ନେତାଙ୍କୁ ବାଦ ଦେଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି, ଯାହା ତାଙ୍କ ଆତ୍ମବଡିମାର ପରିଚୟ ଦେଉଛି ।

ସେହିପରି ସ୍ଥିତି ମଧ୍ୟ ସମ୍ବିତ ପାତ୍ରଙ୍କ କ୍ଷେତ୍ରରେ । ସମ୍ବିତ ନିକଟରେ ହାଜତ ମୃତ୍ୟୁକୁ ନେଇ ପୁରୀ ବନ୍ଦ ଡାକରା ଦେଇଥିବା ବେଳେ ରାଜ୍ୟ ବିଜେପିର କୌଣସି ବଡ ନେତାଙ୍କୁ ତାଙ୍କ ସହ ଠିଆହୋଇଥିବା ଦେଖିବାକୁ ମିଳି ନ ଥିଲା । ଏତେ ବଡ ଘଟଣାରେ ଦଳୀୟ ନେତାଙ୍କ ନୀରବତାକୁ ନେଇ ଶେଷରେ ସେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ । ବୈଜୟନ୍ତ ପଣ୍ଡାଙ୍କ ସ୍ଥିତି ମଧ୍ୟ ସମାନ । ରାଜ୍ୟରେ ବୈଜୟନ୍ତଙ୍କ ପ୍ରତି ଲୋକଙ୍କ ଭିତିରି ସମର୍ଥନ ଓ ସମ୍ମାନ ରହିଥିଲେ ମଧ୍ୟ ରାଜ୍ୟ ବିଜେପି ତାଙ୍କୁ ନେଇ କାର୍ଯ୍ୟ କରୁ ନାହିଁ । ତେଣୁ ବୈଜୟନ୍ତ ଦିଲ୍ଲୀରେ ଡେରା ପକାଇଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କରାଯାଇଥିଲେ ମଧ୍ୟ ବିଭିନ୍ନ ଘଟଣାରେ ସେ ମୁକ । ତାଙ୍କ ଥିବା ନ ଥିବା ଏକ ପ୍ରକାର ଲାଗୁଛି । ଜଣେ ନେତା ଯାହା କରୁଛନ୍ତି ଅନ୍ୟ ଜଣେ ତାହାକୁ ସମର୍ଥନ କରୁ ନାହାନ୍ତି, ଯାହା ନେତାଙ୍କ ମଧ୍ୟରେ ଥିବା ସମନ୍ୱୟ ଅଭାବକୁ ପଦାରେ ପକାଇ ଦେଉଛି, ଅଥବା ଦଳୀୟ ନେତାଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏପରି ହେଉଛି । କାରଣ ଯାହା ହେଉ ନା କହିଁକି ଏହା ଦଳ ପାଇଁ ହିଁ କ୍ଷତିକାରକ ସାବ୍ୟସ୍ତ ହେଉଛି । ନେତାଙ୍କ ମନାନ୍ତରର ଫାଇଦା ନେଉଛି ବିଜେଡି । ନିଜ ନିଜ ଭିତରେ ଦ୍ୱେଷ ଓ ପରଶ୍ରୀକାତରତା ପାଇଁ ରାଜ୍ୟରେ ବିରୋଧୀ ଦଳ ଭାବେ ସଠିକ ଢଙ୍ଗରେ ଦାୟିତ୍ୱ ତୁଲାଇବାରେ ବିଫଳ ହେଉଛି ଦଳ ।

ତେଣୁ ଜେପି ନଡ୍ଡା ତଥା ରାଜ୍ୟ ବିଜେପି ପ୍ରଭାରୀ ଡି ପୁରେନ୍ଦରେଶ୍ୱରୀ ଯେତେ ଓଡିଶା ଗସ୍ତ କଲେ ମଧ୍ୟ ଫଳ ଶୂନ୍ୟ ରହିବ ବୋଲି ବିଶେଷଜ୍ଞଙ୍କ ମତ। ତେଣୁ ବିଜେପିର ରାଷ୍ଟ୍ରୀୟ ନେତାଗଣ ପ୍ରଥମେ ରାଜ୍ୟ ନେତୃତ୍ୱରେ ଏକକତା ଆଣିବାର ଆବଶ୍ୟକତା ରହିଛି । ରାଜ୍ୟ ନେତାଙ୍କୁ ଆତ୍ମସ୍ୱାର୍ଥ ଓ ଆତ୍ମବଡିମା ଛାଡି ସାମୂହିକ ଓ ଦଳୀୟ ସ୍ୱାର୍ଥ କ୍ଷେତ୍ରରେ ବ୍ରତୀ ହେବାର ମନ୍ତ୍ର ଦେବା ସମୟର ଆହ୍ୱାନ ପରି ମନେ ହେଉଛି । ତେଣୁ ସମୟ ଥାଇ ସମସ୍ତ ନେତାଙ୍କ ମଧ୍ୟରେ ପ୍ରଥମେ ସମନ୍ୱୟ ଆଣିବା ଦିଗରେ କାର୍ଯ୍ୟ କଲେ ହିଁ ଯାଇ ଏହା ଦଳ ପାଇଁ ଶୁଭଙ୍କର ହେବ ତଥା ଦଳ ଓଡିଶାରେ ସରକାର ଗଠନ କରିବାର ସ୍ୱପ୍ନ ସାକାର ହେବ ବୋଲି କୁହାଯାଉଛି ।
