କାବୁଲ: ତାଲିବାନ ଶେଷରେ ପଞ୍ଜଶିର ଦଖଲ କରିଛି । ଏହି ବିଜୟ ପରେ ତାଲିବାନୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ପାଳନ ଅନେକଙ୍କ ଜୀବନ ନେଇଛି । ପଞ୍ଜଶିର ଦଖଲ କରିବାର ପରେ କାବୁଲରେ ଥିବା ତାଲିବାନ ଆଖୁବୁଜା ଗୁଳି ଚଳାଇ ଖୁସି ମନାଇଥିଲେ। କିନ୍ତୁ ଏହି ବେପରୁଆ ଗୁଳି ଚାଳନା ଯୋଗୁ କାବୁଲରେ ଅନେକ ଲୋକଙ୍କ ଜୀବନ ଯାଇଛି । କିଛି ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।କିନ୍ତୁ ଦୁର୍ଭାଗ୍ୟ, ତାଲିବାନର ଏପରି କାର୍ଯ୍ୟକୁ ନେଇ ସଂଗଠନ ସାମାନ୍ୟତମ ଦୁଃଖ ପ୍ରକାଶ କରି ନାହିଁ । ଅନ୍ୟପଟେ, ତାଲିବାନ ଆଫଗାନରେ ସରକାର ଗଠନରେ ବ୍ୟସ୍ତ ।
ଶୁକ୍ରବାର ରାତିରେ ହଠାତ୍ ତାଲିବାନ ପଞ୍ଜଶିରକୁ ଦଖଲ କରିଥିବା ସୂଚନା ମିଳିଥିଲା । ଏହି ଖବର ମିଳିବା ପରେ କାବୁଲରେ ଥିବା ତାଲିବାନୀ ଖୁସିରେ ଆତ୍ମବିଭୋର ହୋଇ ଶତାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ବହୁ ଲୋକଙ୍କର ଗୁଳିବାଜି ମୃତ୍ୟୁ ହୋଇଥିବା ବେଳେ ଅନେକ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଗୁଳିମାଡ଼ ଉତ୍ସବର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ତାଲିବାନ ପଞ୍ଜଶିର ଦଖଲ କରିଥିବା ଦାବି କରୁଥିଲେ ହେଁ ଏହାକୁ ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ଖଣ୍ଡନ କରିଛି।