ମୁମ୍ବାଇ: କର୍ନାଲରେ ଗତ ମାସରେ ହୋଇଥିବା କୃଷକଙ୍କ ଉପରେ ଲାଠିଚାର୍ଜକୁ ମହାରାଷ୍ଟ୍ର ସାଂସଦ ତଥା ଶିବସେନା ନେତା ସଞ୍ଜୟ ରାଉତ ଶନିବାର ଦିନ ଘୋର ନିନ୍ଦା କରିଛନ୍ତି । ସଞ୍ଜୟ କହିଛନ୍ତି କୃଷକ ସେମାନଙ୍କ ନାର୍ଯ୍ୟ ଦାବି ପାଇଁ ରାଜରାସ୍ତାରେ ପଡିରହିଥିବା ବେଳେ ଗତ ୨ ମାସ ଭିତରେ ୧୭ ଥର ଆକ୍ରମଣ ହେଲାଣି, ଯାହା ଅତ୍ୟନ୍ତ ନିନ୍ଦା ଓ ପରିତାପର ବିଷୟ ।
ସଞ୍ଜୟ କହିଛନ୍ତି, ହରିୟାଣାରେ ସରକାର ନିର୍ଦ୍ଦେଶରେ ପୁଲିସ ଓ ରାଜନୈତିକ ଗୁଣ୍ଡାମାନେ କୃଷକଙ୍କ ମୁଣ୍ଡ ଗଡେଇବା ପରି ଘଟଣା ଘଟୁଛି । ଏବେ ମଧ୍ୟ କର୍ଣ୍ଣାର ମିନି ସେକ୍ରେଟାରିଏଟକୁ କୃଷକ ଘେରି ବସିଛନ୍ତି । ଯଦି ସେମାନଙ୍କ ସହ ଆଲୋଚନା ହୋଇ କୌଣସି ସମାଧାନର ରାସ୍ତା ବାହାରିବ ତେବେ ଦେଶ ଏହାକୁ ସ୍ୱାଗତ କରିବ ବୋଲି ସଞ୍ଜୟ କହିଛନ୍ତି ।
କେନ୍ଦ୍ର ସରକାର କୃଷକଙ୍କ ସହ ଆଲୋଚନା ଆଗେଇନେବାକୁ ଚେଷ୍ଟା କରୁନଥିବାକୁ ନେଇ ସମାଲୋଚନା କରି ସଞ୍ଜୟ କହିଛନ୍ତି, ଯଦି କେନ୍ଦ୍ର କୃଷକଙ୍କ ସହ ଆଲୋଚନାର ବାଟ ନ ଫିଟାଇ ସେମାନଙ୍କୁ ସାରା ଜୀବନ ରାଜରାସ୍ତାରେ ବସାଇବ ଏହା ଠିକ ହେବ ନାହିଁ । ଦୁଇ ବର୍ଷ ହେଲା କୃଷକ ରାଜରାସ୍ତା ଉପରେ ବସିଛନ୍ତି, କିନ୍ତୁ ସେଥିପ୍ରତି କେନ୍ଦ୍ର ଦୃଷ୍ଟି ଦେଉନାହିଁ । କୌଣସି ରାଜନୈତିକ ଦଳ ଏଥିରେ ସଂଶ୍ଳିଷ୍ଟ ନ ଥିଲେ ମଧ୍ୟ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି । ଆମେ କିସାନ ମହାପଞ୍ଚାୟତକୁ ଦେଖିଛୁ, ଲକ୍ଷ ଲକ୍ଷ କୃଷକ ସେମାନଙ୍କ ସର୍ବସ୍ୱ ପଛରେ ପକାଇ ଦେଇଛନ୍ତି । ତେଣୁ ମୁଁ ଭାବୁଛି, ବର୍ତ୍ତମାନ ସରକାର ଏହା ଉପରେ ପଦକ୍ଷେପ ନେବା ଦରକାର ବୋଲି ସଞ୍ଜୟ କହିଛନ୍ତି ।
previous post
