ଲଳିତପୁର: କୋରୋନା ମହାମାରୀରୁ ବଞ୍ଚିବା ପାଇଁ ନେଇଥିଲେ ଟୀକା । କିନ୍ତୁ ଏହି ଟୀକା ତାଙ୍କ ଶରୀରର ଏକ ବହୁତ ବଡ କ୍ଷତି ଘଟାଇଛି । କୋରୋନା ଭ୍ୟାକ୍ସିନ ନେଇ ବିକଳାଙ୍ଗ ହୋଇ ଯାଇଛନ୍ତି ଜଣେ ଯୁବକ । ଏମିତି ଏକ ଅଭାବନୀୟ ଘଟଣା ଆସିଛି ଉତ୍ତରପ୍ରଦେଶର ଲଳିତପୁର ଅଞ୍ଚଳରୁ ।
ଲଳିତପୁର ଅଞ୍ଚଳ ବନୌନୀ ଗାଁରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ବିଭାଗର ବଡ ଭୁଲ । ଯାହାର ଫଳ ଭୋଗୁଛନ୍ତି ନିରୀହ ୨୨ ବର୍ଷ ବୟସର ଯୁବକ ଇନ୍ଦ୍ରେଶ । ଗତ ୯ ତାରିଖରେ ଗାଁ ସ୍କୁଲରେ ଆୟୋଜିତ କ୍ୟାମ୍ପରେ ସେ କୋରୋନା ଟୀକା ନେଇଥିଲେ । ଟୀକା ନେବା ପରେ ତାଙ୍କର ହାତ ଫୁଲିବା ସହ ତାଙ୍କୁ ଜ୍ୱର ଆସିଥିଲା । ଏ ନେଇ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଇଥିଲେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନଥିଲା । ଏହାପରେ ତାଙ୍କ ହାତ ଜଡ ପଡିବା ଆରମ୍ଭ ହେଲା । ତେଣୁ ଇନ୍ଦ୍ରେଶ ୧୩ ତାରିଖରେ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଇଥିଲେ ।

ଜିଲ୍ଲା ହସ୍ପିଟାଲରେ ଡାକ୍ତର ପରୀକ୍ଷା କରିବାରୁ ଜାଣିବାକୁ ପାଇଲେ ଯେ, ଭ୍ୟାକ୍ସିନ ନେବା ସମୟରେ ଇନ୍ଦ୍ରେଶଙ୍କ ହାତରେ ଛୁଞ୍ଚି ଭାଙ୍ଗି ରହିଯାଇଛି । ସିଟି ସ୍କାନ ଏବଂ ଏକ୍ସରେ କରିବା ପରେ ଗତ ୧୮ ତାରିଖରେ ତାଙ୍କର ଅପରେସନ କରାଯାଇଥିଲା । ଅପରେସନରେ ଇନ୍ଦ୍ରେଶଙ୍କ ହାତରୁ ଛୁଞ୍ଚି ବାହାର କରି ଦିଆଯାଇଛି । କିନ୍ତୁ ଏହାପରଠୁ ତାଙ୍କର ଗୋଟିଏ ଗୋଡ ଏବଂ ଡାହାଣ ହାତ ଅଚଳ ହୋଇ ପଡିଛି । ତେଣୁ ସେଠାକାର ଡାକ୍ତର ତାଙ୍କୁ ଝାନ୍ସୀ ମେଡିକାଲକୁ ସ୍ଥାନାନ୍ତର କରୁଥିବା ଜଣା ପଡିଛି । ଭ୍ୟାକ୍ସିନ ଦେବା ବେଳେ କର୍ମଚାରୀଙ୍କ ସାମାନ୍ୟ ଭୁଲ ଏବେ ଜଣେ ଯୁବକଙ୍କ ଜୀବନ ହସ୍ପିଟାଲର ବେଡରେ ଅଟକି ଯାଇଛି ।
