(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗରେ ଗତ ବିଧାନସଭା ନିର୍ବାଚନ ପରେ ବହୁ ବରିଷ୍ଠ ନେତା ବିଜେପିର ହାତ ଛାଡିବାରେ ଲାଗିଛନ୍ତି । ଏହିକ୍ରମରେ ରବିବାର ପୁଣି ଜଣେ ବିଜେପିର ହେଭିଓ୍ବେଟ ଟିଏମସିରେ ସାମିଲ ହୋଇଛନ୍ତି । ରାଜ୍ୟରେ ବିଜେପିର ଉପାଧ୍ୟକ୍ଷ ଅର୍ଜୁନ ସିଂହ ଦଳ ପ୍ରତି ନାରାଜ ରହି ଟିଏମସିରେ ସାମିଲ ହୋଇଛନ୍ତି । ଟିଏମସି ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରିଛି କି, ‘ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଏବଂ ବ୍ୟାରକପୁରରୁ ସାଂସଦ ଅର୍ଜୁନ ସିଂହଙ୍କ ଟିଏମସି ପରିବାରରେ ସାମିଲ ହୋଇଛନ୍ତି । ସେ ଆଜି ଆମର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି’ ।
ସୂଚନାନୁଯାୟୀ , ଅଭିଷେକ ବାନାର୍ଜୀ ଟୁଇଟ୍ କରି କହିଛନ୍ତି, ଶ୍ରୀ ସିଂଙ୍କୁ ସ୍ୱାଗତ କରାଯାଉଛି । ଯିଏ କି ବିଜେପିର ବିଭାଜନକାରୀ ଶକ୍ତିକୁ ପ୍ରତ୍ୟାଖ୍ୟାନ କରି ଆଜି ଟିଏମସି ପରିବାରରେ ଯୋଗ ଦେଇଛନ୍ତି। ଦେଶର ଲୋକମାନେ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ସେମାନେ ବର୍ତ୍ତମାନ ଅପେକ୍ଷା ଆମକୁ ଅଧିକ ଆବଶ୍ୟକ କରୁଛନ୍ତି। ଆସନ୍ତୁ ଯୁଦ୍ଧକୁ ଜୀବନ୍ତ ରଖିବା!