ଓଡିଶାସ୍ୱାସ୍ଥ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଏଡସ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ଏକ ନମ୍ବର ଗଞ୍ଜାମ

ଆଜି ବିଶ୍ୱ ଏଡସ୍‌ ଦିବସ । ଚିନ୍ତା ବଢ଼ାଉଛନ୍ତି ୩ ଜିଲ୍ଲା । ରାଜ୍ୟରେ ଏଡସ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ସର୍ବାଗ୍ରେ ଗଞ୍ଜାମ ଜିଲ୍ଲା । ଜିଲ୍ଲାର ପ୍ରାୟ ସମସ୍ତ ବ୍ଳକ ଏଡସ୍‌ ଭଳି ମାରାତ୍ମକ ରୋଗ ଦ୍ୱାରା କବଳିତ । ଚଳିତବର୍ଷ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୩୬୨ ଜଣ ସଂକ୍ରମିତ । ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ପୁରୁଷ ଅଛନ୍ତି । ୧୩ ଜଣ କିନ୍ନର (ଟ୍ରାନ୍ସଜେଣ୍ଡର)ଙ୍କ ଠାରେ HIV ଚିହ୍ନଟ କରାଯାଇଛି । ତେବେ ଯୁବପିଢ଼ି ଓ କିନ୍ନରଙ୍କ ମଧ୍ୟରେ ଏହି ରୋଗର ସ୍ଥିତି ଉଦବେଗଜନକ ନେଇ ବିଭିନ୍ନ ସର୍ଭେରୁ ଜଣାପଡ଼ିଛି । ଯାହା ଭୟଙ୍କର ରୂପ ନେବାର ଆଶଙ୍କା କରାଯାଉଛି । କିଛି ସମୟର ଖୁସି ଜୀବନକୁ କରିଦେଇଛି ଦୁର୍ବିସହ । ଯୁବାବସ୍ଥାର ଭୁଲ୍‌ ପାଇଁ ୫୦ ବର୍ଷ ବୟସରେ କରୁଛନ୍ତି ପଶ୍ଚାତାପ । କଟକ କ୍ୟାଟେଗୋରି ୧ରେ ସାମିଲ୍ ହୋଇଥିବା ବେଳେ ନବରଙ୍ଗପୁରରେ ବଢ଼ୁଛି ପଜିଟିଭ୍‌ଙ୍କ ସଂଖ୍ୟା । ଏବେବି ଗଞ୍ଜାମ ଜିଲ୍ଲାରେ ଅଛନ୍ତି ରାଜ୍ୟର ସର୍ବାଧିକ HIV ଆକ୍ରାନ୍ତ । ସଂକ୍ରମଣରେ ଜାତୀୟ ହାର ତୁଳନାରେ ଓଡ଼ିଶା ୩ ନମ୍ବରରେ ରହିଛି । ରାଜ୍ୟରେ ୨୦୨୨-୨୩ ତୁଳନାରେ ଚଳିତବର୍ଷ ସଂକ୍ରମଣ ହାର ହ୍ରାସ ପାଇଛି । ୨୦୨୨-୨୩ରେ ୩୨୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୨୩-୨୪ରେ ୩୪୩୬ ଜଣ, ୨୦୨୪-୨୫ରେ ୩୭୬୯ ଜଣ ଏବଂ ୨୦୨୫ ଅକ୍ଟୋବର ସୁଦ୍ଧା ଚିହ୍ନଟ ହୋଇଛନ୍ତି ୨୪୬୨ ଜଣ ସଂକ୍ରମିତ । ଗଞ୍ଜାମରେ ସର୍ବାଧିକ ୩୫୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, କଟକରେ ୨୬୧, ନବରଙ୍ଗପୁରରେ ୭୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ସେହିଭଳି ଖୋର୍ଦ୍ଧାରେ ୩୩୮, ସମ୍ବଲପୁରରେ ୧୯୫, ସୁନ୍ଦରଗଡ଼ରେ ୧୨୧, ଅନୁଗୁଳରେ ୧୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ବୌଦ୍ଧରେ ସର୍ବନିମ୍ନ ୩ ଜଣ HIV ସଂକ୍ରମିତ ଚିହ୍ନଟ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଚାଲିଛି ଏଡସ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମ । ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତଥାପି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଆଉ ତାଲିକାର ପ୍ରଥମ ସ୍ଥାନରେ ରହିଛି ଗଞ୍ଜାମ । ଜିଲ୍ଲାର ୧୫ ରୁ ୨୨ ବର୍ଷର କଲେଜ ଛାତ୍ର ଓ କିନ୍ନର ମଧ୍ୟ ଆକ୍ରାନ୍ତ । ନିଶା କାରବାର, ଅସୁରକ୍ଷିତ ଓ ଅପ୍ରାକୃତିକ ଯୌନ ସମ୍ପର୍କକୁ ଏଥିପାଇଁ ଦାୟୀ କରାଯାଉଛି । ୨୦୦୦ରୁ ୨୦୨୫ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ୬୬,୧୨୧ । ସେଥିମଧ୍ୟରୁ ଏଆରଟି ସେଣ୍ଟରରେ ପଞ୍ଜୀକୃତଙ୍କ ସଂଖ୍ୟା ୫୪ ହଜାର ୩୬୦ । ମୃତ ରୋଗୀଙ୍କ ସଂଖ୍ୟା ୧୩ ହଜାର ୪୫୭ । ଅନ୍ୟ ଜିଲ୍ଲା ତୁଳନାରେ କଟକ, ଗଞ୍ଜାମ ଓ ନବରଙ୍ଗପୁର ସରକାରଙ୍କ ଚିନ୍ତା ବଢାଉଛି । ଫଳରେ ସରକାର ଲୋକଙ୍କୁ ସଚେତନତା କରାଉଛନ୍ତି । ୨୦୩୦ ସୁଦ୍ଧା HIVକୁ ମୂଳୋତ୍ପଟନ କରିବା ଲକ୍ଷ୍ୟ ରଖିଛନ୍ତି ସରକାର । ତେବେ ବ୍ୟାପକ ସଚେତନତା ସତ୍ତ୍ଵେ ରୋଗୀ ସଂଖ୍ୟାରେ ସେଭଳି ଆଖି ଦୃଶିଆ ହ୍ରାସ ନହେବା ଚିନ୍ତାର ବିଷୟ ପାଲଟିଛି ।

Related posts

ଓପିଟିସିଏଲ ଟେକ ଟାୱାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

mahabharatanews

ପୋଲ ତଳକୁ ଖସିପଡିଲା କେରଳରୁ କୋଲକାତା ଆସୁଥିବା ପ୍ରବାସୀଙ୍କ ବସ

mahabharatanews

ତିନିରଥ ନିର୍ମାଣ ପାଇଁ ୧୨୦ ପ୍ରକାର କଣ୍ଟା ଓ ଲୁହା ସାମଗ୍ରୀ ତିଆରି

mahabharatanews