ଦେଶରେ ଚିନି ଦରବୃଦ୍ଧି ପଛରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆକଳନ ଓ ଅତ୍ୟଧିକ ରପ୍ତାନି ଅନୁମତି ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି। ୨୦୨୫-୨୬ରେ ୪.୭ ନିୟୁତ ଟନ୍ ବଳକା ଷ୍ଟକ୍ ଥିବାବେଳେ ଚଳିତ ବର୍ଷ ୨୭.୯ ନିୟୁତ ଟନ୍ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଥିଲା। ଏହାକୁ ଆଧାର କରି ୨ ନିୟୁତ ଟନ୍ ଚିନି ରପ୍ତାନିକୁ ଅନୁମତି ମିଳିଥିଲା।

କିନ୍ତୁ ଉତ୍ପାଦନ ଆକଳନ ଭୁଲ୍ ହେବା ସହ ଆଖୁ ଉତ୍ପାଦନ ହ୍ରାସ ଓ ଏଲ୍ନିନୋ ପ୍ରଭାବକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇନଥିଲା। ଉତ୍ପାଦନ କମୁଥିବା ସଙ୍କେତ ମିଳିଥିଲେ ମଧ୍ୟ ରପ୍ତାନି ଜାରି ରହିଥିଲା। ଫଳରେ ଦେଶୀୟ ବଜାରରେ ଚିନି ଯୋଗାଣ ଉପରେ ଚାପ ବଢ଼ି ଦର ବୃଦ୍ଧି ପାଇଛି।

ସଙ୍କଟ ବଢ଼ିବା ପରେ ସରକାର ୧ ନିୟୁତ ଟନ୍ ଚିନି ଶୁଳ୍କମୁକ୍ତ ଆମଦାନିକୁ ଅନୁମତି ଦେଇଛନ୍ତି। ଏହାସହ ମଜୁତଦାରୀ ଓ କଳାବଜାର ରୋକିବା ପାଇଁ ବଡ଼ କ୍ରେତାଙ୍କ ଷ୍ଟକ୍ ଉପରେ ସୀମା ଲଗାଯାଇଛି। ସମୟ ପୂର୍ବରୁ ରପ୍ତାନି ନିୟନ୍ତ୍ରଣ କରାଯାଇଥାନ୍ତା, ତେବେ ବର୍ତ୍ତମାନର ଚିନି ସଙ୍କଟ ଏତେ ଗମ୍ଭୀର ହୋଇନଥାନ୍ତା।
