ବନ୍ଧୁତ୍ୱର ମଧୁର ସମ୍ପର୍କ ଓ ଅତୀତର ଅଭୁଲା ସ୍ମୃତିକୁ ପୁଣିଥରେ ମନେ ପକାଇବା ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଇନ୍ଦ୍ରଗୋବିନ୍ଦ ଉଚ୍ଚ ବିଦ୍ୟାଳୟର ୨୦୦୪ ମସିହା ବ୍ୟାଚ୍ର ବନ୍ଧୁ ମିଳନ କାର୍ଯ୍ୟକ୍ରମ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଇପୁର ପଞ୍ଚାୟତ ଅନ୍ତର୍ଗତ ଚୁଡ଼ାକୁଟିସ୍ଥିତ ଇନ୍ଦ୍ରଗୋବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ବନ୍ଧୁ ମିଳନ ଉତ୍ସବରେ ବହୁ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ।

ବ୍ୟାଚ୍ର ପୁରାତନ ଛାତ୍ର ତାପସ ନାୟକ, ପ୍ରସନ୍ନ ନାଥ, ରମେଶ ଚନ୍ଦ୍ର ଧଳଙ୍କ ସମେତ ଅନ୍ୟ ସହପାଠୀମାନଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ସୁନ୍ଦର ଭାବେ ସମ୍ପାଦିତ ହୋଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଖଗେଶ୍ୱର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ କାର୍ତ୍ତିକ ଚରଣ ପତି, ଗୟାଧର ଦ୍ୱିବେଦୀ, ନିରାକାର ପଣ୍ଡା, ସୁବାସ ଚନ୍ଦ୍ର ବାରିକ, ରମାକାନ୍ତ ପଣ୍ଡା, ବୃନ୍ଦାବନ ରାଉଳ, ହରିହର ବିଶ୍ୱାଳ, ପ୍ରଶାନ୍ତ ପଣ୍ଡା, ଗଙ୍ଗାଧର ଦେହୁରୀ, ଶିକ୍ଷୟିତ୍ରୀ ମମତା ରାଣୀ ବେହେରା ଓ ପଦ୍ମିନୀ ସେଠୀ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଶିକ୍ଷକମାନେ ବିଦ୍ୟାଳୟରେ ବିତାଇଥିବା ପୁରୁଣା ଦିନର ଅନେକ ଅଭୁଲା ସ୍ମୃତି, ମଜାଦାର ଘଟଣା ଓ ସୁଖଦ ମୁହୂର୍ତ୍ତ ବଖାଣିଥିଲେ। ସେହିପରି ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ନିଜର ବିଦ୍ୟାଳୟ ଜୀବନର ସ୍ମୃତି ଓ ସହପାଠୀଙ୍କ ସହ ବିତାଇଥିବା ମଧୁର ମୁହୂର୍ତ୍ତକୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ।ଦୀର୍ଘ ବର୍ଷ ପରେ ଗୁରୁ ଓ ଶିଷ୍ୟଙ୍କ ଏହି ମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଏକ ଆତ୍ମୀୟତାପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ଶେଷରେ ପୁରାତନ ଛତ୍ରୀ ନଜାରା ବେଗମ ଧନ୍ୟବାଦ୍ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ସାମୂହିକ ଭୋଜିର ଆୟୋଜନ କରାଯାଇଥିଲା। ପୁରୁଣା ସମ୍ପର୍କକୁ ନୂଆ ରୂପ ଦେବା ସହ ଗୁରୁଜନଙ୍କ ଆଶୀର୍ବାଦ ଓ ବନ୍ଧୁତ୍ୱର ମଧୁରତାକୁ ଉଜ୍ଜୀବିତ କରିଥିବା ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ଅଭୁଲା ସ୍ମୃତି ହୋଇ ରହିବ।
