ଦିଲ୍ଲୀ-ମେରଠ ମଧ୍ୟରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏଣିକି ନମୋ ଭାରତ ଟ୍ରେନ୍ରେ ୫୦ ମିନିଟ୍ରୁ କମ୍ ସମୟରେ ଦିଲ୍ଲୀରୁ ମେରଠରେ ପହଞ୍ଚିହେବ। ଯାତ୍ରୀଙ୍କ ସମୟ ବଞ୍ଚାଇବା ଏବଂ ଭିଡ଼ କମାଇବା ଲକ୍ଷ୍ୟରେ ନଭେମ୍ବର ୧୬ରୁ ୮ଟି ଅତିରିକ୍ତ ଫାଷ୍ଟ ଟ୍ରେନ୍ ଚଳାଚଳ କରିବ। ନ୍ୟାସନାଲ୍ କ୍ୟାପିଟାଲ୍ ରିଜନ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (ଏନ୍ସିଆର୍ଟିସି) ଏହି ନୂଆ ସେବା ଆରମ୍ଭ କରିବାକୁ ଯାଉଛି।
ଏହି ଟ୍ରେନ୍ଗୁଡ଼ିକ ସବୁ ଷ୍ଟେସନ୍ରେ ରହଣି କରିବ ନାହିଁ। ସରାଇ କାଲେ ଖାନ୍, ଆନନ୍ଦ ବିହାର, ଗାଜିଆବାଦ, ବେଗମପୁଲ୍ ଓ ମୋଦିପୁରମ୍ ଭଳି ୫ଟି ପ୍ରମୁଖ ଷ୍ଟେସନ୍ରେ ଅଟକିବ। ଫଳରେ ଯାତ୍ରା ସମୟ ଯଥେଷ୍ଟ କମିବ। ଆନନ୍ଦ ବିହାରରୁ ଗାଜିଆବାଦ ଯିବାକୁ ମାତ୍ର ୮ ମିନିଟ୍ ଏବଂ ଗାଜିଆବାଦରୁ ବେଗମପୁଲ୍ ପହଞ୍ଚିବାକୁ ୨୮ ମିନିଟ୍ ଲାଗିବ। ଏହି ଦୁଇଟି ଯାତ୍ରାକୁ ମିଶାଇଲେ ଆନନ୍ଦ ବିହାରରୁ ବେଗମପୁଲ୍ ମାତ୍ର ୩୬ ମିନିଟ୍ରେ ପହଞ୍ଚିହେବ।
ଯାତ୍ରୀଙ୍କ ସୁବିଧା ପାଇଁ ସକାଳ ଓ ସନ୍ଧ୍ୟାର ବ୍ୟସ୍ତ ସମୟରେ ଏହି ସେବା ଉପଲବ୍ଧ ହେବ। ସକାଳ ୮ଟା ଓ ୮ଟା ୩୦ରେ ଉଭୟ ଦିଗରୁ ଟ୍ରେନ୍ ଚାଲିବ। ସେହିପରି ସନ୍ଧ୍ୟା ୬ଟା ଓ ୬ଟା ୩୦ରେ ମଧ୍ୟ ଟ୍ରେନ୍ ଚଳାଚଳ କରିବ। ଏହାବ୍ୟତୀତ ନିୟମିତ ନମୋ ଭାରତ ଟ୍ରେନ୍ ପୂର୍ବଭଳି ପ୍ରତି ୧୦ ମିନିଟ୍ ବ୍ୟବଧାନରେ ଚାଲିବ।
ଏହି କରିଡରରେ ଯାତ୍ରୀଙ୍କ ଚାହିଦା ମଧ୍ୟ ବଢ଼ୁଛି। ବର୍ତ୍ତମାନ ପ୍ରତିଦିନ ପ୍ରାୟ ୧ ଲକ୍ଷ ୧୦ ହଜାର ଯାତ୍ରୀ ନମୋ ଭାରତ ସେବା ଉପଯୋଗ କରୁଛନ୍ତି। ଏଯାଏଁ ମୋଟ ଯାତ୍ରା ସଂଖ୍ୟା ୫ କୋଟି ଟପିଥିବା ବେଳେ ଗତ ତିନି ମାସରେ ପ୍ରତି ମାସରେ ହାରାହାରି ୩୨ ଲକ୍ଷରୁ ଅଧିକ ଯାତ୍ରା ରେକର୍ଡ ହୋଇଛି।
ବିଶେଷକରି ଦିଲ୍ଲୀ-ମେରଠ ଅଞ୍ଚଳରେ ବଢ଼ୁଥିବା ଟ୍ରାଫିକ୍ ଭିଡ଼ ଓ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଲୋକଙ୍କୁ ବ୍ୟକ୍ତିଗତ ଯାନ ବଦଳରେ ସାର୍ବଜନୀନ ପରିବହନ ଆପଣାଇବାକୁ ଉତ୍ସାହିତ କରିବ ଏହି ନୂଆ ବ୍ୟବସ୍ଥା। ତେବେ ଫାଷ୍ଟ ଟ୍ରେନ୍ରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ଷ୍ଟେସନ୍ର ଡିସ୍ପ୍ଲେ ବୋର୍ଡ ଓ ଘୋଷଣା ଯାଞ୍ଚ କରିବାକୁ କୁହାଯାଇଛି।
