ଓଡିଶା

ନାଁ କୁ ମାତ୍ର କଣ୍ଟେନମେଣ୍ଟ ଜୋନ: ଅବାଧରେ ଯାତାୟାତ କରୁଛନ୍ତି ଲୋକେ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ରାଜଧାନୀରେ ସଂକ୍ରମଣ ସେହି ଅନୁପାତରେ କମୁ ନ ଥିବା ଦେଖିବାକୁ ମିଳୁଛି । ପ୍ରତିଦିନ ଖୋର୍ଦ୍ଧା ଜିଲ୍ଲାରୁ ୪୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରି ସ୍ଥଳେ ଗତକାଲି ରାଜଧାନୀର ଦୁଇଟି ବଡ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ଏହି ଆପାର୍ଟମେଣ୍ଟ ଭିତରକୁ କେହି ବାହାରକୁ ଯାଇପାରିବେ ନାହିଁ କିମ୍ବା ଆସିପାରିବେ ନାହିଁ ବୋଲି ନିୟମ ରହିଛି । ଏନେଇ ବିଏମ୍ସି ପକ୍ଷରୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ହେଲେ ଏହି ନିୟମକୁ କେହି ପାଳନ କରୁ ନ ଥିବା ଦେଖିବାକୁ ମିଳିଛି । ବାହାର ଲୋକମାନେ ଏହି କଣ୍ଟେନମେଣ୍ଟ ଜୋନ ଭିତରକୁ ଅବାଧରେ ପ୍ରବେଶ କରୁଥିବା ବେଳେ ଭିତର ଲୋକ ମଧ୍ୟ ବାହାରକୁ ଯାଉଛନ୍ତିି ।
ଗତକାଲି ରସୁଲଗଡ ଅଞ୍ଚଳରେ ଥିବା ଲର୍ଡ ଗୁଞ୍ଜନ ଆପାର୍ଟମେଣ୍ଟ ଏବଂ ଖଣ୍ଡଗିରି ଅଞ୍ଚଳରେ ଥିବା ସତ୍ୟସାଇ ଆପାର୍ଟମେଣ୍ଟରେ କିଛି ଅଂଶକୁୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଗୁଞ୍ଜନ ଆପାଟମେଣ୍ଟର ବି- ବ୍ଲକ ଏବଂ ସତ୍ୟସାଇ ଆପାର୍ଟମେଣ୍ଟର ଏଚ୍ ଆଇ ଜିର ୧୧ ରୁ ୬୧ ଯାଏ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ବିଏମ୍ସି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଏହି ଅଞ୍ଚଳ ଭିତରକୁ କୌଣସି ବ୍ୟକ୍ତି ଯାଇପାରିବେ ନାହିଁ କିମ୍ବା ଆସିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଏହି ନୟମ କଡାକଡି ଭାବେ ପାଳନ କରିବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି । ଏନେଇ ବିଏମ୍ସି ଉକ୍ତ ଆପାର୍ଟମେଣ୍ଟରେ ନୋଟିସ୍ ମାରି ଚୁପ୍ ବସିପଡିଛି । ବାସ୍ତବରେ ଲୋକ ଆସୁଛନ୍ତି କି ଯାଉଛନ୍ତିି ସେ ସମ୍ପର୍କରେ ଯାଞ୍ଚ କରିବାକୁ କେହି ନାହାନ୍ତି । ଯାହା ଫଳରେ ବାହାର ଲୋକେ ଉକ୍ତ ଅଞ୍ଚଳକୁ ପ୍ରବେଶ କରିବା ସହ ବୁଲାବୁଲି କରି ପୁଣି ଫେରୁଥିବା ଦେଖିବାକୁ ମିଳିଛି ।
ରାଜ୍ୟରେ ଏବେ ପ୍ରତିଦିନ ୨୦୦୦ ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୫୦୦ ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ରାଜ୍ୟରୁ ୨୦୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁୁ ୪୪୬ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ସବୁଠୁ ଅଧିକ ରହୁଛନ୍ତି । ଏବେ ସାରା ରାଜ୍ୟରେ ୨୧ ହଜାର ୭୪୨ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ କେବଳ ୪୭୮୫ ସକ୍ରୟ ସଂକ୍ରମଣ ଅଛନ୍ତି ।
ଏପରି ସ୍ଥଳେ କୋହଳ କଟକଣା ଯୋଗୁ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉ ନାହିଁ । ପୂର୍ବରୁ କଣ୍ଟେନମେଣ୍ଟ ଜୋନ ଗୁଡିକରେ ବିଏମସି ପକ୍ଷରୁ ବାଡା ବନ୍ଧା ଯାଉଥିଲା । ଆବଶ୍ୟକ ସ୍ଥଳେ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଉଥିଲା । ହେଲେ ଏବେ କୌଣସି ନିୟମ ନାହିଁ । ଏପରିକି ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ସୁରକ୍ଷା କର୍ମୀମାନେ ମଧ୍ୟ ଯାତାୟତ କରୁଥିବା ଲୋକମାନଙ୍କୁ ବାରଣ କରୁ ନ ଥିବା ଦେଖିବାକୁ ମିଳିଛି । ଯଦି ଏହି କଟକଣା କଡାକଡି ଭାବେ ପାଳନ କରା ନ ଯାଏ ତେବେ ଆଗାମୀ ଦିନରେ ସଂକ୍ରମଣ ବଢିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।

 

 

 

Related posts

ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଆହ୍ୱାନ

mahabharatanews

ରାଜଧାନୀର ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର

mahabharatanews

ଗୋଟିଏ ସ୍ଥାନରେ ବସ୍ତିବାସିନ୍ଦାଙ୍କ ଗହଳି

mahabharatanews

Leave a Comment