(ମମତା ସାମଲ)ମହାଭାରତ: ରାଜ୍ୟପାଳଙ୍କୁ ବିଧାନସଭା ମନା । ଆଜି ଏପରି ଏକ ଅଭୂତ ପୂର୍ବ ଘଟଣା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଦାଣ୍ଡରେ ପଡି ହାଟରେ ଗଡିଲାଣି । ରାଜ୍ୟର ପ୍ରଥମ ନାଗରିକ କୁହାଯାଉଥିବା ରାଜ୍ୟବାଳଙ୍କୁ ମମତା ସରକାର ବିଧାନସଭାରେ ପ୍ରବେଶ ପାଇଁ ମନା କରିଛନ୍ତି । ବିଧାନସଭାକୁ ଆଜି ରାଜ୍ୟପାଳ ଜଗଦୀପ ଯାଇଥିବା ବେଳେ ଭିଭିଆଇପିଙ୍କ ପାଇଁ ଉଦ୍ଧିଷ୍ଟ ଗେଟ୍ ନମ୍ବର ୧ରେ ତାଲା ପଡିଥିଲା । ଏହାକୁ ନେଇ ରାଜ୍ୟପାଳ କ୍ଷୋଭପ୍ରକାଶ କରିବା ସହ ବହୁ ସମୟ ସେଠାରେ ଅପେକ୍ଷା ମଧ୍ୟ କରିଥିଲେ । ପରେ ସେ ଅନ୍ୟ ଗେଟ୍ ବାଟ ଦେଇ ବିଧାନସଭାରେ ପ୍ରବେଶ କରିଥିଲେ ।
ମମତା ସରକାର ମଙ୍ଗଳବାର ଠୁ ପଶ୍ଚିମବଙ୍ଗ ବିଧାନସଭା ସ୍ଥଗିତ ରଖିଛନ୍ତି । ତେବେ ଆଜି ରାଜ୍ୟପାଳ ବିଧାନସଭାର ଐତିହାସିକ ବିଲଡିଂ ଓ ଲାଇବ୍ରେରୀ ଦେଖିବାକୁ ଚାହିଁଥିଲେ। ହେଲେ ସେ ବିଧାନସଭାରେ ପହଞ୍ଚିବା ପରେ ଭିଭିଆଇପି ଗେଟ୍ରେ ତାଲା ପଡ଼ିଥିଲା। ଶେଷରେ ରାଜ୍ୟପାଳ ବିଧାନସଭା ବାହାରେ ହିଁ ସାମ୍ବାଦିକ ସମ୍ମିଳନୀ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ନିଜ କ୍ଷୋଭ ପ୍ରକାଶ କରି ରାଜ୍ୟପାଳ ଜଗଦୀପ କହିଛନ୍ତି, “ମୁଁ କେବେ ବି ଏଭଳି ସ୍ଥିତିର ସମ୍ମୁଖୀନ ହୋଇ ନଥିଲି। ବିଧାନସଭା ମୁଲତବୀ ହୋଇଛି। ଏହାର ଅର୍ଥ ନୁହେଁ, ଏହା ବନ୍ଦ ହୋଇ ଯାଇଛି। ତଥାପି କାହିଁକି ଗେଟ୍ ବନ୍ଦ ରଖାଗଲା? ବିଧାନସଭା ମୁଲତବୀ ରହିଲେ ବି ଏହାର ପୂରା ସଚିବାଳୟ ଖୋଲା ରହିବା କଥା। ସେ କହିଛନ୍ତି ମୁଁ କେବଳ ଐତିହାସିକ ବିଲଡିଂ ଓ ଲାଇବ୍ରେରୀ ଦେଖିବାକୁ ଆସିଥିଲି। ଭିଭିଆଇପି ଗେଟ୍ ବନ୍ଦ ଥିବାରୁ ମୁଁ ମିଡିଆ ଫାଟକ ଦେଇ ଭିତରକୁ ପ୍ରବେଶ କରିଥିଲି। ଏହା ମୋତେ ନୁହେଁ ପୂରା ଗଣତନ୍ତ୍ରକୁ ଅପମାନ ବୋଲି ଜଗଦୀପ ଧନକାର କହିଛନ୍ତି ।
ଗତକାଲି ରାଜ୍ୟପାଳ ଜଗଦୀପ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀଙ୍କୁ ନିଜର ବିଧାନସଭା ଗସ୍ତ ସମ୍ପର୍କରେ ଜଣାଇଥିଲେ। ତଥାପି ରାଜ୍ୟପାଳଙ୍କୁ ଏଭଳି ଅପମାନିତ କରିବା ପଛର କାରଣ କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ବିଭିନ୍ନ ପ୍ରସଙ୍ଗରେ ମମତା ଓ ରାଜ୍ୟପାଳଙ୍କ ମଧ୍ୟରେ ମତପାର୍ଥକ୍ୟ ରହୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।
previous post
next post