(ମହାଭାରତ, ସୋନପୁର): ସୋନପୁର-ସମ୍ବଲପୁର ରାସ୍ତାର ମେଟକାନୀ ଛକରେ ଶୁକ୍ରବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଟୋ ଓଲଟି ପଡିବାରୁ ଦୁଇ ଜଣ ଶିଶୁଙ୍କ ସମେତ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନେ ବରଗଡ ଜିଲ୍ଲା ଭେଡେନ୍ ବ୍ଲକ ଇଚ୍ଛାପୁର ଗାଁର ବାସିନ୍ଦା ବୋଲି ଜଣାପଡିଛି । ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସେମାନେ ସୋନପୁର ଜିଲ୍ଲା ଉଲୁଣ୍ଡାର ଖେମାଲୋଏ ଗାଁକୁ ଆସିଥିଲେ । ସେଠାରୁ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଆହତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦ୍ରୁତ ଗତିରେ ଅଟୋଟି ଯାଉଥିବା ଯୋଗୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ବୋଲି କୁହାଯାଉଛି । ଉଲୁଣ୍ଡା ପୋଲିସ ଦୁର୍ଘଟଣାଗ୍ରସ୍ତ ଅଟୋଟିକୁ ଜବତ କରି ତଦନ୍ତ ଚଳାଇଛି ।
previous post
next post