ଓଡିଶା

ରାଜ୍ୟ ମାନ୍ୟତା ଅପେକ୍ଷାରେ “ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: କରୋନା ଯୁଦ୍ଧରେ ସର୍ବାଗ୍ରରେ ଥିବା ଯୋଦ୍ଧାଙ୍କ ମନୋବଳ ବଢାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗତକାଲି ସାରା ରାଜ୍ୟରେ ଗୁଞ୍ଜରିତ ହେଲା ବନ୍ଦେ ଉକ୍ରଳ ଜନନୀ । ପୁରପଲ୍ଲୀରୁ ଜିଲ୍ଲା ମହକୁମା, ରାଜଧାନୀ ଭୁବନେଶ୍ୱରରେ ଗାନ ହେଲା ଏହି ସଂଗୀତ । ଏହି ସଂଗୀତ ଗାନ କରିଥିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଅମଲାତନ୍ତ୍ରର ବଡବଡ ଉପାଧିଧାରୀଙ୍କଠାରୁ ସାଧାରଣ କର୍ମଚାରୀ, ବ୍ୟବସାୟୀ, ସାଧାରଣ ଜନତା । କିନ୍ତୁ ଦୁଃଖ ଏହି ସଂଗୀତ ଏପର୍ଯ୍ୟନ୍ତ ରାଜ୍ୟ ମାନ୍ୟତା ପାଇ ପାରି ନାହିଁ । ବାରମ୍ବାର ସଂଗୀତକୁ ରାଜ୍ୟ ମାନ୍ୟତା ଦେବାକୁ ଅପିଲ କରାଯାଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ସମ୍ଭବ ହୋଇ ନାହିଁ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସ୍ୱତନ୍ତ୍ର ରାଜ୍ୟ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିଲା । ୧୯୧୨ ମସିହାରେ ପ୍ରଥମେ ଉକ୍ରଳ ସମ୍ମିଳନୀରେ ଗାନ କରାଯାଇଥିଲା ଏହି ସଂଗୀତ । କିନ୍ତୁ ଏପର୍ଯ୍ୟନ୍ତ ଏହି ଦେଶାତ୍ମବୋଧକ ସଂଗୀତକୁ ନେଇ ସରକାର ନିର୍ଣ୍ଣାୟକ ନିଷ୍ପତ୍ତି ଗ୍ରହଣ କରିପାରି ନାହାନ୍ତି। ୧୯୯୪ ନଭେମ୍ବର ୭ରେ ତତ୍କାଳୀନ ବାଚସ୍ପତି ଯୁଧିଷ୍ଠିର ଦାସ ସମସ୍ତ ଦଳର ମୁଖ୍ୟଙ୍କୁ ଡାକି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ମାନ୍ୟତା ଦେବାକୁ ପାଇଁ ବିଧାନସଭାରେ ଆହ୍ୱାନ ଦେଇଥିଲେ। ଏହା ପରେ ଅନେକ ଦାବି ହୋଇଛି । ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ନିଷ୍ପତ୍ତି ଅନୁସାରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଚିଠି ପ୍ରଦାନ ସହ ୨ଟି ସିଡି ମଧ୍ୟ ପ୍ରେରଣ କରାଯାଇଥିଲା। ଅନୁରୂପ ଭାବେ ଗୃହବିଭାଗ ପକ୍ଷରୁ କେନ୍ଦ୍ରକୁ ଅବଗତ କରାଯାଇଥିଲା। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ରାଜ୍ୟର ବ୍ୟାପାର କହି ଫେରାଇ ଦିଆଯାଇଥିଲା। ବିଭିନ୍ନ ସମୟରେ କମିଟି ଗଠନ ସହ ରାଜ୍ୟ ମାନ୍ୟତା ନିମନ୍ତେ ବିଭାଗ ପକ୍ଷରୁ ୨୦୧୫ ଜୁନ୍‌ରେ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଥିଲା। ସେବେଠାରୁ ଏହା ବିଚାରାଧୀନ ରହିଛି। ଏ ସବୁ ସତ୍ତ୍ବେ ଘୋଷଣା ଅପେକ୍ଷାରେ ରହିଯାଇଛି ଏହି ସଙ୍ଗୀତର ରାଜ୍ୟ ମାନ୍ୟତା। ୨୦ ବର୍ଷ ଶାସନ କାଳ ମଧ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂଗୀତକୁ ରାଜ୍ୟ ମାନ୍ୟତା ପ୍ରଦାନ କ୍ଷେତ୍ରରେ ପାଦେ ହେଲେ ଆଗକୁ ବଢି ନାହାନ୍ତି । ସବୁଠାରୁ ବିଡମ୍ବନାର ବିଷୟ, ଏହି ସଂଗୀତର ରଚୟିତା କାନ୍ତକବିଙ୍କ ସମ୍ପର୍କରେ ବିଶ୍ୱର ସବୁଠାରୁ ବଡ ଇ- ଅନୁସନ୍ଧାନ ପୁସ୍ତକ ଗୁଗୁଲରେ ମଧ୍ୟ ଅଧିକ ତଥ୍ୟ ନାହିଁ । ଏପରିକି ତାଙ୍କ ଜନ୍ମ ସ୍ଥାନ ଉଲ୍ଲେଖ ନାହିଁ । ଏପରି ସ୍ଥଳେ ବନ୍ଦେ ଉକ୍ରଳ ଜନନୀ ରାଜ୍ୟବ୍ୟାପୀ ଗାନ ତୁଛା ପ୍ରହସନ ଭିନ୍ନ କିଛି ନୁହେଁ ।

Related posts

ପାର୍ବଣ ପାଇଁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

mahabharatanews

କଟକ ମୁଣ୍ଡଳି CISF କ୍ୟାମ୍ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

mahabharatanews

ପରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ବଦଳି

mahabharatanews