(ମହାଭାରତ / ମଧୁସ୍ମିତା ତ୍ରିପାଠୀ ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରିବା କାରଣରୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ଦଳର ବିଧାୟିକା ରମାବାଇ ପରିହାରଙ୍କୁ ନିଲମ୍ବିତ କରିଛନ୍ତି । ବିବାଦୀୟ ସିଏଏକୁ ସମର୍ଥନ କରୁଥିବାରୁ ମଧ୍ୟପ୍ରଦେଶ ବିଧାୟକ ରମାବାଇ ପରିହାରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ବୋଲି ଟ୍ୱିଟ୍ କରି ମାୟାବତୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବିଏସପି ଏକ ଶୃଙ୍ଖଳିତ ଦଳ । ଯଦି ଏହି ଦଳର କୌଣସି ବିଧାୟକ କିମ୍ବା ସାଂସଦ ଦଳର ଶୃଙ୍ଖଳା ଭଙ୍ଗ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତେବେ ବିଧାୟକ ପରିହରଙ୍କୁ ଦଳରୁ ନିଲମ୍ବିତ କରାଯିବା ସହ ସେ ଦଳର କୋଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ପଟହରିଆ ନିର୍ବାଚନ ମଣ୍ଡଳୀର ଏହି ବିଧାୟକ ସିଏଏକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ ପ୍ରଶଂସା କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ବିଲ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମତି ଦେବା ପରେ ଏହା ଆଇନରେ ପରିଣତ ହୋଇଛି ।
previous post
next post