(ପୁରୀ) : ଚଳିତ ମାସ କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ । ଅକ୍ଟୋବର ମାସ ୨୮ ତାରିଖରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଗ୍ରହଣର ଅବଧି ହେଉଛି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ସମୟ ହେଉଛି ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ । ଗ୍ରହଣ ସ୍ପର୍ଶ ହେବା ମାତ୍ରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥାଏ ।
ସୂଚନାନୁଯାୟୀ , ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ ପରେ ଅଙ୍ଗିରା, ଭୃଗୁ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିଥାନ୍ତି । ଚକ୍ରରାଜ ସୁଦର୍ଶନ ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ ପାକତ୍ୟାଗ ପୂର୍ବରୁ ରତ୍ନସିଂହାସନରେ ବିଜେ କରିବେ । ସେହିପରି କୁମାରପୂର୍ଣ୍ଣିମାର ଠିକ୍ ପରଦିନ ହବିଷ୍ୟାଳୀ ମାନେ ବ୍ରତ ସଙ୍କଳ୍ପ କରିବେ ଓ ସେହିଦିନ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଚାରିଆଶ୍ରମ ବିଜେ କରିବେ ।